ନିଜକୁ ମନ୍ତ୍ରୀଙ୍କ ପି.ଏ ପରିଚୟ ଦେଇ ବ୍ୟବସାୟୀଙ୍କୁ ଲୁଟୁ; ଜଣେ କିନ୍ନର ଓ ୨ ଯୁବକଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିଜକୁ ମନ୍ତ୍ରୀଙ୍କ ପିଏ ପରିଚୟ ଦେଇ ବ୍ୟବସାୟୀଙ୍କୁ ଠକିଥିବା ଅଭିଯୋଗରେ ଜଣେ କିନ୍ନର ଓ ୨ଜଣ ଯୁବକଙ୍କୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ । ଗିରଫ ହୋଇଥିବା କିନ୍ନରଙ୍କ ନାମ ସୌମ୍ୟରଂଜନ ପ୍ରଧାନ ଓରଫ ମନୀଷା । ତାଙ୍କ ସହ ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ସାଇବର ଥାନା ପୋଲିସ ।

ଡିପ୍ଲୋମା ପଢିଥିବା ସୌମ୍ୟଙ୍କ ଘର ବୌଦ୍ଧ ଜିଲ୍ଲାରେ । ପୋଲିସ କହିବା ଅନୁସାରେ, ସୌମ୍ୟ କେବେ ପୁଅ ସ୍ୱରରେ କଥା ହେଉଥିଲେ ପୁଣି କେବେ ଝିଅ ସ୍ୱରରେ । ବେଶ୍ ଚତୁରତାର ସହ ଯୁବତୀଙ୍କ ସ୍ୱରରେ କଥା ହୋଇ ସାଇବର ଠକେଇ କରୁଥିଲେ ଅଭିଯୁକ୍ତ କିନ୍ନର । ଗତ ୧୨ତାରିଖରେ ନିଜକୁ ମନ୍ତ୍ରୀଙ୍କ ପିଏ କହି ଜଣେ ବ୍ୟବସାୟୀଙ୍କୁ ଠକି ଥିଲେ । ବ୍ୟବସାୟୀଙ୍କଠାରୁ ୩୧ ହଜାର ୫ଶହ ଟଙ୍କା ଠକେଇ କରିଥିଲେ । ଏନେଇ ସାଇବର ଥାନାରେ ଅଭିଯୋଗ ପରେ କିନ୍ନର ଓ ତାଙ୍କ ଦୁଇ ସହଯୋଗୀ ଗିରଫ ହୋଇଛନ୍ତି ।

ଅଭିଯୋଗ କରିଥିବା ବ୍ୟବସାୟୀଙ୍କ କହିବା ଅନୁସାରେ, ତାଙ୍କର ଜଣେ ମନ୍ତ୍ରୀଙ୍କ ସହ ଭଲ ସଂପର୍କ ଅଛି । ତେଣୁ ସୌମ୍ୟ ନିଜକୁ ସମ୍ପୃକ୍ତ ମନ୍ତ୍ରୀଙ୍କ ପି.ଏ କହି ଫୋନ କରିଥିଲେ । ବ୍ୟବସାୟିକ ଉନ୍ନତି ସହ ଭଲ ଲାଭ ହେବା ପାଇଁ ଏକ ଯଜ୍ଞ କରାଯିବ ଓ ସେଥିପାଇଁ ଘିଅ ବାବଦକୁ ୩୧ ହଜାର ୫ଶହ ଖର୍ଚ୍ଚ ହେବ ବୋଲି କହିଥିଲେ । ତେବେ ବ୍ୟବସାୟୀଙ୍କ ମନରେ ଭରଷା ଜନ୍ମାଇବା ପାଇଁ ମହିଳାଙ୍କ ସ୍ୱରରେ ମନ୍ତ୍ରୀଙ୍କ ମାଆ କହି ଆଉ ଥରେ କଥା ହୋଇଥିଲେ । ପରେ ବ୍ୟବସାୟୀ ମନ୍ତ୍ରୀଙ୍କ ସହ ପୂର୍ବ ପରିଚିତ ହୋଇଥିବାରୁ ସେ ଫୋନ ପେ ଜରିଆରେ ଟଙ୍କା ପଠାଇଦେଇଥିଲେ । ହେଲେ ପରେ ସବୁ ଜାଣିବା ପରେ ଆଉ ଧରା ଛୁଆଁ ଦେଇ ନଥିଲେ ମନୀଷା କିନ୍ନର ।

ତଦନ୍ତରୁ ଜଣା ପଡ଼ିଛି, ଅଭିଯୁକ୍ତ କିନ୍ନରଙ୍କ ନାଁରେ ପୂର୍ବରୁ ଏକାଧିକ ଅପରାଧୀକ ମାମଲା ରହିଛି । ନିଜର ଦୁଇ ସହଯୋଗୀଙ୍କୁ ପରସେଣ୍ଟ ଦେବା କହି ଲୋକଙ୍କୁ ଠକୁଥିଲେ । ଏମାନଙ୍କ ନାମରେ ଭୁବନେଶ୍ୱରରେ ୩ ଟି ଅନୁଗୁଳରେ ଗୋଟିଏ, ବ୍ରହ୍ମପୁର ଓ଼ ସମ୍ବଲପୁରରେ ଦୁଇଟି ମାମଲା ରହିଛି । ଏବେସୁଧା ଏହି ଗ୍ୟାଙ୍ଗ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଠକିଥିବା ଜଣା ପଡ଼ିଛି ।

Related Posts