
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୋଳରେ ଅସୁସ୍ଥ ପୁଅକୁ ଧରି ଧାରଣାରେ ବସିଛନ୍ତି ବାପା-ମା’ । ଏମିତି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଉଦଳା କଲେଜରେ । କଲେଜ ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି ଦେବାଶିଷ ବାରିକ ଓ ତାଙ୍କ ପରିବାର ।
ତେବେ ଦେବାଶିଷ କଲେଜରେ ଡାଟା ଏଂଟ୍ରି ଭାବେ କାମ କରିଆସୁଛନ୍ତି । ହେଲେ ୧୯ ମାସ ହେଲା ତାଙ୍କୁ ଦରମା ମିଳିନାହିଁ । ଦରମା ମିଳିନଥିବାରୁ ସେ ପ୍ରିନ୍ସିପାଲଙ୍କ ଅଫିସ ଆଗରେ ସେ ସପରିବାର ଧାରଣା ଦେଇଛନ୍ତି ।
ସେ ଅଭିଯୋଗ ଆଣିଛନ୍ତି କଲେଜ ପ୍ରିନ୍ସିପାଲ ଗୋପାଳ ଚନ୍ଦ୍ର ବେହେରା ତାଙ୍କୁ ଅନେକଥର ବେଆଇନ୍ କାମ କରିବାକୁ ବାଧ୍ୟ କରନ୍ତି । ଦରମା ପ୍ରିନ୍ସିପାଲଙ୍କୁ ବାରମ୍ବାର ଗୁହାରି କରିଥିଲେ ବି ଏଯାଏଁ ତାଙ୍କୁ ଦରମା ପ୍ରଦାନ କରାଯାଇନାହିଁ । ସେପଟେ ଦେବାଶିଷଙ୍କ ପୁଅ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଏପରି ସ୍ଥିତିରେ ନିଜର ପ୍ରାପ୍ୟ ପାଇବା ଦାବିରେ ଦେବାଶିଷ କଲେଜ ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି । କଲେଜ ପରିଚାଳନା କମିଟି ପକ୍ଷରୁ ଏହି ଦରମା ଦିଆଯିବାର ନିୟମ ରହିଥିଲେ ବି ପ୍ରିନ୍ସିପାଲ ଦରମା ଦେଉନଥିବାର ସାଂଘାତିକ ଅଭିଯୋଗ କରିଛନ୍ତି ଦେବାଶିଷ ।
ସେପଟେ ଏ ସମ୍ବନ୍ଧରେ ପ୍ରିନ୍ସିପାଲ ସାମ୍ସ ଉପରକୁ ସବୁ ଦୋଷ ଠେଲି ଦେଇଛନ୍ତି । ଦେବାଶିଷ ସାମ୍ସ ଅଧୀନରେ କାମ କରୁଥିବାରୁ ତାଙ୍କ ଦରମା ସାମ୍ସ ତରଫରୁ ମିଳିବ। ଏନେଇ ସାମ୍ସ ଅଧିକାରୀଙ୍କୁ ଚିଠି ଲେଖି ସୂଚନା ଦିଆଯାଇଥିବା ପ୍ରିନ୍ସିପାଲ କହିଛନ୍ତି।