ନବଜାନ ପୁତ୍ର ସନ୍ତାନକୁ ହରାଇଲେ ରୋନାଲଡୋ: ସୋଶାଲ ମିଡିଆରେ ଫ୍ୟାନ୍ସଙ୍କୁ ଏପରି କହି କଲେ ଅନୁରୋଧ

ନୂଆଦିଲ୍ଲୀ: ବିଶ୍ୱର ପ୍ରଖ୍ୟାତ ଫୁଟବଲର କ୍ରିଷ୍ଟିଆନୋ ରୋନାଲଡୋଙ୍କ ଉପରେ ଲଦି ହୋଇପଡିଛି ଦୁଃଖର ପାହାଡ଼ |ନିକଟରେ ରୋନାଲଡୋ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଜର୍ଜିନା ଗର୍ଡିଗେଜ ସେମାନଙ୍କ ନବଜାନ ପୁତ୍ର ସନ୍ତାନକୁ ହରାଇଛନ୍ତି। ଏହି ସମୟରେ ସେ ଓ ତାଙ୍କ ପରିବାର ଅତି ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି | ଏନେଇ ଗୋପନୀୟତାକୁ ପ୍ରାଥମିକତା ଦେବାକୁ ସୋଶାଲ ମିଡିଆରେ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି ରୋନାଲଡୋ ।

ରୋନାଲଡୋ ଓ ଜର୍ଜିନା ଯମଜ ସନ୍ତାନଙ୍କ ପିତାମାତା ହେବେ ବୋଲି କିଛି ଦିନ ପୂର୍ବେ ରୋନାଲଡୋ ସୋଶାଲ ମିଡିଆରେ ପୋଷ୍ଟ କରି ନିଜ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଥିଲେ। ଏହାପରେ ଜର୍ଜିନା ଏକ ପୁତ୍ର ଓ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିବା ବେଳେ ଡାକ୍ତର କିନ୍ତୁ ପୁତ୍ର ସନ୍ତାନକୁ ବଞ୍ଚାଇବାରେ ଅସମର୍ଥ ହେଲେ। ନବଜାତ ଶିଶୁ କନ୍ୟାକୁ ଦେଖି ଆମେ ଏହି କଷ୍ଟ ସହିବାକୁ ଚେଷ୍ଟା ଜାରି ରଖିଛୁ ବୋଲି କହିଛନ୍ତି ରୋନାଲଡୋ ।

ରୋନାଲଡୋଙ୍କର ପୂର୍ବରୁ ୪ ସନ୍ତାନ ଥିବା ବେଳେ ଏବେ ସେ ୨ ଯମଜ ସନ୍ତାନଙ୍କ ପିତା ହେବାର ସୌଭାଗ୍ୟ ପାଇଥିଲେ। କିନ୍ତୁ ସେଥିମଧ୍ୟରୁ ନବଜାତ ଶିଶୁ ପୁତ୍ରର ଅକାଳ ବିୟୋଗକୁ ସେମାନେ ସହଜେ ଗ୍ରହଣ କରିପାରୁ ନାହାନ୍ତି। ଏନେଇ ରୋନାଲଡୋ କହିଛନ୍ତି, ମୁଁ ଓ ମୋ ପରିବାର ସବୁଠୁ ଖରାପ ସମୟ ଦେଖି ଗତି କରୁଛୁ। ଆମେ ଦୁଃଖର ସହ ଘୋଷଣା କରୁଛୁ ଯେ, ଆମେ ଆମ ନବଜାତ ଶିଶୁପୁତ୍ରକୁ ହରାଇ ଦେଇଛୁ । ଏହା ଯେକୌଣସି ମାତାପିତାଙ୍କ ପାଇଁ ସବୁଠୁ ଅଧିକ କଷ୍ଟଦାୟକ । ଏହି ଶକ୍ତ ଧକ୍କା ଯୋଗୁ ଆମେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛୁ। ହେଲେ କେବଳ ନବଜାତ ଶିଶୁ କନ୍ୟାର ମୁହଁକୁ ଦେଖି ବଞ୍ଚିବାକୁ ସଂଗ୍ରାମ ଜାରି ରଖିଛୁ ତଥା ଏହି ଅବସାଦରୁ ବାହାରିବାକୁ ଚେଷ୍ଟା ଚଳାଇଛୁ ।

ସୁରୁଖୁରରେ ଜର୍ଜିନାଙ୍କ ପ୍ରସବ ନିମନ୍ତେ ଡାକ୍ତର ଏବଂ ନର୍ସମାନେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିବା ବେଳେ ତଥା ମା’ ଓ ନବଜାତଙ୍କ ଧ୍ୟାନ ଓ ଯତ୍ନ ନେଇଥିବାରୁ ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ରୋନାଲଡୋ |

Related Posts