ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଇଁ ଡିଏମଏଫ ପାଣ୍ଠିରୁ ଖର୍ଚ୍ଚ ହୋଇଛି ୧୩୬.୮୨ କୋଟି ଟଙ୍କା: ବିଧାନସଭାରେ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର,୧୭/୩(ସତ୍ୟପାଠ ବ୍ୟୁରୋ): ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ୨୬୧.୭୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବେଳେ ସେଥିମଧ୍ୟରୁ ୧୩୬.୮୨ କୋଟି ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ)ରୁ ଖର୍ଚ୍ଚ ହୋଇଛି ବୋଲି ଗୁରୁବାର ବିଧାନସଭାରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି। ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଏକ ପ୍ରଶ୍ନର ଉତ୍ତରରେ ତୁଷାରକାନ୍ତି ବେହେରା ଗୃହରେ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ମୁତାବକ, ଅବଶିଷ୍ଟ ଅର୍ଥ ରାଜ୍ୟ ବଜେଟରୁ ୧୨୪.୯୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର କେତେ ଖର୍ଚ୍ଚ କରିଛନ୍ତି ଏବଂ ଅତିଥିମାନଙ୍କ ପାଇଁ କେତେ ଖର୍ଚ୍ଚ ହୋଇଛି ସେ ସମ୍ପର୍କରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ପଚରାଯିବାରୁ ସେ କହିଥିଲେ, ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅତିଥିମାନଙ୍କୁ ଛୋଟ ତାଲିକାରେ ରଖାଯିବାର କୌଣସି ମାପକାଠି ନଥିଲା। ପ୍ରତ୍ୟେକ ଦିନ ଭୁବନେଶ୍ୱରରୁ ରାଉରକେଲା ଯାଏ ପ୍ରତିଯୋଗିତା ପରିଚାଳନା କରିବା ପାଇଁ ଅଂଶଗ୍ରହଣକାରୀ ରାଷ୍ଟ୍ରର ଖେଳାଳି ଏବଂ କର୍ମଚାରୀମାନଙ୍କୁ ଉଡ଼ାଣ ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଥିଲା।

ବିମାନରେ ଖାଲି ପଡ଼ିଥିବା ସିଟ୍ ମାନସିକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିଲା, ଏସସି/ଏସଟି ହଷ୍ଟେଲରେ ପାଠ ପଢୁଥିବା ଛାତ୍ରଛାତ୍ରୀ, ଆଇଟିଆଇ ଛାତ୍ରଛାତ୍ରୀ ଓ ଗଣମାଧ୍ୟମ କର୍ମଚାରୀଙ୍କୁ ଏଥିରେ ନିଆଯାଇଥିଲା। ମୋଟ ଖର୍ଚ୍ଚ ବାଣିଜ୍ୟ ଓ ପରିବହନ ବିଭାଗ ବହନ କରିଛି ବୋଲି ତୁଷାରକାନ୍ତି ବେହେରା ସ୍ପଷ୍ଟ କରିଛନ୍ତି।

ତେବେ ଡିଏମ୍ଏଫ୍ ନିୟମ ଅନୁୟାୟୀ ସଂଗୃହୀତ ପାଣ୍ଠିକୁ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ପାଇଁ, ବାୟୁ ପ୍ରଦୂଷଣକୁ ରୋକିବା ପାଇଁ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମିର ବିକାଶ, ମହିଳା ଓ ଶିଶୁ କଲ୍ୟାଣ, ଖଣି ପ୍ରଭାବିତ ଜିଲ୍ଲାରେ ଦକ୍ଷତା ବିକାଶ ଓ ଗୃହ ନିର୍ମାଣ ପାଇଁ ବ୍ୟବହାର କରାଯାଇ ପାରିବ। କିନ୍ତୁ ଏଠାରେ ସରକାର ଡିଏମ୍ଏଫ୍ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରି ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ତିଆରି କରିଛନ୍ତି ଯାହାକୁ ନେଇ ପ୍ରଶ୍ନ ଉଠିଛି।

Related Posts