ପୁଣିଥରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କଲା ରୁଷ: ୩ ମୃତ, ୬ ଗୁରୁତର

କିଭ୍‌: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ଧରୁନଥିବା ବେଳେ, ପୁଣିଥରେ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି ରୁଷ। ଆଜି ରୁଷ ସେନା ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ଘନଘନ ମସାଇଲ ମାଡ଼ କରିଛନ୍ତି। ଏଥିରେ ୩ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ମିସାଇଲ ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। ବିଜୁଳି ଯୋଗାଣ ବନ୍ଦ ହୋଇଥିବା ବେଳେ କିଛି ସାଧାରଣ ଲୋକଙ୍କ ଘରେ ନିଆଁ ମଧ୍ୟ ଲାଗି ଯାଇଛି। ରାଜଧାନୀ କିଭ୍‌ରେ ରୁଷର ଏପରି ମିସାଇଲ ମାଡ଼ ଲୋକଙ୍କୁ ଆତଙ୍କିତ କରିଛି। ପୂର୍ବରୁ ମଧ୍ୟ ରୁଷ ସେନା କିଭ୍‌ର କିଛି ସ୍ଥାନରେ ମିସାଇଲ ମାଡ଼ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ।

ୟୁକ୍ରେନର ପ୍ରଥମ ଡେପୁଟି ବୈଦେଶିକ ମନ୍ତ୍ରୀ ଇମିନେ ଡଝେପାର ଟ୍ୱିଟ ଯୋଗୁ କିଭ୍‌ ଉପରେ ରୁଷ କରିଥିବା ମିସାଇଲ ମାଡ଼ ସମ୍ପର୍କରେ ସୂଚନା ଦେଇଛନ୍ତି। ସେହିପରି ମିସାଇଲ ମାଡ଼ରେ କେମିତି କିଭ୍‌ର ବିଭିନ୍ନ ଅଞ୍ଚଳର କ୍ଷତିଗ୍ରସ୍ତ ହୋଇଛି, ତା’ର କିଛି ଫଟୋ ମଧ୍ୟ ସେ ଶେୟାର କରିଛନ୍ତି।

ସେ କହିଛନ୍ତି, “ରୁଷିଆନ ଆତଙ୍କବାଦୀମାନେ ପୁଣିଥରେ ୟୁକ୍ରେନର କିଭ୍‌ ସମେତ ଏକାଧିକ ସହରରେ ଘନଘନ ମିସାଇଲ ମାଡ଼ କରିଛନ୍ତି। ଏହି ମିସାଇଲରେ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଓ ଆବାସିକ ବିଲଡିଂ ଧ୍ୱଂସ ହୋଇଯାଇଛି। ସମଗ୍ର ୟୁକ୍ରେନରେ ବଡ଼ଧରଣର ବିଜୁଳି ବିଭ୍ରାଟ ଦେଖାଯାଇଛି। ଏଥିଯୋଗୁ ଅନେକ ସହରର ଲୋକ ଅନ୍ଧାରରେ ରହିଛନ୍ତି। ପୀଡ଼ିତଙ୍କ ମଧ୍ୟରେ ଅନେକ ସାଧାରଣ ଲୋକ ରହିଛନ୍ତି ବୋଲି ସେ ଟ୍ୱିଟ କରିଛନ୍ତି।

ଅନ୍ୟପକ୍ଷରେ କିଭ୍‌ ମେୟର ଭିଟାଲି କଲଷ୍ଟକୋ କହିଛନ୍ତି, ରାଜଧାନୀରେ ଥିବା ଅନେକ ଭିତ୍ତିଭୂମି ପ୍ରତିଷ୍ଠାନରେ ମିସାଇଲ ମାଡ଼ ହୋଇଛି। ତେଣୁ ଲୋକମାନେ ସୁରକ୍ଷିତ ଭାବେ ଆଶ୍ରୟ ସ୍ଥଳରେ ରୁହନ୍ତୁ। କିଭ୍‌ରେ ଏୟାର ଆଲର୍ଟ ଜାରି ରହିଥିବା ସେ କହିଛନ୍ତି

Related Posts