ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ | ରୁଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଥିବା ବେଳେ, ୟୁକ୍ରେନ ର ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି | ଏପରିକି ୟୁକ୍ରେନ ରେ ନରସଂହାର ରଚିଛି ରୁଷ | ସେପଟେ ରୁଷ ର ଏହି ପରି ଆକ୍ରମଣ କୁ ନେଇ ବିରୋଧ କରିଛି ଜାତିସଂଘ | ଋଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ୟୁଏନଜିଏ । ଜାତିସଂଘର ମାନବିକ ଅଧିକାର ପରିଷଦରୁ ଋଷିଆକୁ ନିଲମ୍ବନ କରି ଦିଆଯାଇଛି । ୟୁକ୍ରେନର ବୁଚା ସହରରେ ଗଣସଂହାର ପ୍ରତିବାଦରେ ଜାତିସଂଘର ସାଧାରଣ ଅଧିବେଶନ ବସିଥିଲା । ଋଷ ଯୁଦ୍ଧ ଅପରାଧ କରିଥିବା ଅଭିଯୋଗ ଆଣି ମାନବିକ ଅଧିକାର ପରିଷଦରୁ ଋଷିଆକୁ ସସପେଣ୍ଡ କରିବା ପାଇଁ ଭୋଟିଂ ହୋଇଥିଲା । ପ୍ରସ୍ତାବ ସପକ୍ଷରେ ୯୩ଟି ଭୋଟ ପଡ଼ିଥିବା ବେଳେ ବିରୋଧରେ ପଡ଼ିଥିଲା ୨୪ଟି ଭୋଟ । ଭାରତ ସମେତ ୫୮ଟି ଦେଶ ଭୋଟଦାନରୁ ବିରତ ରହିଥିଲା ।
ଋଷ ସପକ୍ଷରେ ଖୋଲାଖୋଲି ଚୀନ, ଇରାନ, ନର୍ଥ କୋରିଆ, ସିରିଆ, ତାଜକିସ୍ତାନ, ବେଲାରୁଷ, ଭିଏତନାମ, ଜିମ୍ବାୱେ ସମେତ ୨୪ଟି ରାଷ୍ଟ୍ର ମତଦାନ କରିଥିଲେ । ୟୁକ୍ରେନରେ ଋଷ ନରସଂହାର କରୁଥିବା ଅଭିଯୋଗ କରିଥିଲେ ଆମେରିକା ସମେତ ୟୁରୋପୀୟ ଦେଶ । ସେପଟେ ଋଷ କହିଛି, ରୁଷ ବିରୋଧରେ ଏହା ପଶ୍ଚିମ ଦେଶଗୁଡିକର ଷଡ଼ଯନ୍ତ୍ର । ୨୦୦୬ ମସିହାରେ ପ୍ରତିଷ୍ଠିତ ଜାତିସଂଘର ମାନବିକ ଅଧିକାର ପରିଷଦରୁ ଦ୍ୱିତୀୟ ଦେଶ ଭାବେ ବାହାର ହୋଇଛି ଋଷ । ଏହା ପୂର୍ବରୁ ୨୦୧୧ ମସିହାରେ ଲିବିୟାକୁ ମାନବିକ ଅଧିକାର ପରିଷଦରୁ ବିଦା କରାଯାଇଥିଲା ।
ୟୁକ୍ରେନ ଉପରେ ଋଷର ଆକ୍ରମଣ ପରଠୁ ଆମେରିକା, ବ୍ରିଟେନ ଓ ୟୁରୋପୀୟ ଦେଶ ଦ୍ୱାରା ଜାତିସଂଘ ସୁରକ୍ଷା ପରିଷଦ, ଜାତିସଂଘର ସାଧାରଣ ଅଧିବେଶନ ଓ ମାନବାଧିକାର ପରିଷଦରେ ଋଷ ବିରୋଧରେ ୧୦ଟି ପ୍ରସ୍ତାବ ଦିଆଯାଇଛି । ସେହି ସବୁ ପ୍ରସ୍ତାବର ଭୋଟିଂରେ କିନ୍ତୁ ଭାରତ ସାମିଲ ହୋଇ ନାହିଁ ।
