
ୟୁକ୍ରେନ ଉପରେ ଋଷର ଆକ୍ରମଣ ଏବେ ସମଗ୍ର ଦେଶବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥିବା ବେଳେ ରୁଷ କୁ କଡ଼ା ଭାଷାରେ ନିନ୍ଦା କରିଛି ନାଟୋ । ଏଥିସହ ଚେତାବନୀ ଦେଇ NATO ମୁଖ୍ୟ ତଥା ସେକ୍ରେଟେରୀ ଜେନେରାଲ୍ ଜେନ୍ସ ଷ୍ଟୋଲଟେନ୍ବର୍ଗ କହିଛନ୍ତି ୟୁକ୍ରେନ ଅଞ୍ଚଳରୁ ତୁରନ୍ତ ସେନା ହଟାଓ । ଗଣତନ୍ତ୍ର ସର୍ବଦା ସ୍ବଚ୍ଛାଚାରୀ ଶାସନ ଉପରେ ବିଜୟ ପାଇବ । ଅତ୍ୟାଚାର ଉପରେ ଗଣତନ୍ତ୍ର ସର୍ବଦା ବିଜୟ ହୋଇଛି । ଋଷର ଆକ୍ରମଣ ପରେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଛୁ । ନାଟୋ ବାହିନୀକୁ ଅଧିକ କ୍ଷମତା ପ୍ରଦାନ କରି ପ୍ରତିରକ୍ଷା ଯୋଜନାକୁ ସକ୍ରିୟ କରାଯାଇଛି । ପୂର୍ବ ୟୁରୋପରେ ନାଟୋର ସକ୍ରିୟତାକୁ ବୃଦ୍ଧି କରାଯିବା ଆରମ୍ଭ କରାଯାଇ ସାରିଲାଣି । ସେହିପରି ଆହୁରି ମଧ୍ୟ ସେ କହିଛନ୍ତି, ବର୍ତ୍ତମାନ ୟୁକ୍ରେନ ସୀମାରେ ନାଟୋର କୌଣସି ସୈନ୍ୟ ନାହାଁନ୍ତି । ନାଟୋ ଅଞ୍ଚଳାଧୀନ ପୂର୍ବ ଭାଗରେ ଆମେ ନାଟୋ ସୈନ୍ୟଙ୍କ ଉପସ୍ଥିତି ବୃଦ୍ଧି କରୁଛୁ । ୟୁକ୍ରେନ ଉପରେ ଋଷର ଅତର୍କିତ ଆକ୍ରମଣ ପାଇଁ ନାଟୋ ସହଯୋଗୀ ରାଷ୍ଟ୍ରମାନେ ଋଷ ଉପରେ ଏକାଧିକ କଟକଣା ଜାରି କରିଛନ୍ତି ।