ୟୁକ୍ରେନ ଉପରେ ଋଷର ଜୋରଦାର ଆକ୍ରମଣ: ସେପଟେ ଭାରତୀୟଙ୍କୁ ଉଦ୍ଧାର ପାଇଁ ଅପରେସନ ଗଙ୍ଗା ଆହୁରି ଜୋରଦାର ହେବ, ୩ ଦିନରେ ଉଡ଼ିବ ୨୬ ବିମାନ

ଋଷ ୟୁକ୍ରେନ ଉପରେ ଲଗାତାର ଭାବେ ଆକ୍ରମଣ ଜାରି ରଖିଛି । ଋଷ ନଜରରେ ଏବେ ୟୁକ୍ରେନର ରାଜଧାନୀ କିଭ୍‌ ଓ ଖାର୍କିଭ ଥିବା ବେଳେ, ସେଠାରେ ଋଷ ସେନା ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ବଡ଼ବଡ଼ କୋଠା ଧୂଳିସାତ ହୋଇଯାଉଛି । ଏପରିକି ଏହି ଆକ୍ରମଣ ରେ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସେପଟେ ଏହାକୁ ଦୃଷ୍ଟିରେ ରଖି କିଭ୍‌ରେ ଥିବା ଭାରତୀୟ ଦୂତାବାସକୁ ବନ୍ଦ କରି ଦିଆଯାଇଛି। ସେହିପରି କିଭ୍‌ରେ ରହୁଥିବା ଭାରତୀୟ ଅଧିକାରୀ ଓ ସେମାନଙ୍କ ପରିବାର ବର୍ଗ ଏବେ ୟୁକ୍ରେନର ପଶ୍ଚିମ ପ୍ରାନ୍ତରେ ଥିବା ଲଭିଭକୁ ଯିବେ।

ଏଠାରେ ରୁଷ ଏଯାଏ ଆକ୍ରମଣ କରି ନଥିବାରୁ ସେଠାରେ ଦୂତାବାସ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ଦୂତାବାସ ବନ୍ଦ ହେବା ପୂର୍ବରୁ ଆଜି କିଭ୍‌ରେ ରହୁଥିବା ସମସ୍ତ ଭାରତୀୟ ନାଗରିକମାନଙ୍କୁ ସହର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପରେ ଭାରତୀୟମାନେ ମଧ୍ୟ ନିଜ ନିଜ ଉପାୟରେ କିଭ୍‌ ଛାଡ଼ିବାରେ ଲାଗିଛନ୍ତି। ଏବେ କିଭ୍‌ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବାରୁ ସମସ୍ତଙ୍କ ସୁରକ୍ଷା ପାଇଁ ଦୂତାବାସକୁ ବନ୍ଦ କରାଯାଇଥିବା କୁହାଯାଇଛି।

ଅନ୍ୟପକ୍ଷରେ ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଫିସିଥିବାର ଭାରତୀୟଙ୍କୁ ଉଦ୍ଧାର ପାଇଁ ଅପରେସନ ଗଙ୍ଗା ଆହୁରି ଜୋରଦାର ହେବ। ଖାର୍କିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ତେଣୁ ଯଥାଶୀଘ୍ର ଭାରତୀୟଙ୍କୁ କିଭ୍‌, ଖାର୍କିଭ ଓ ଅନ୍ୟାନ୍ୟ ଅଞ୍ଚଳରୁ ଉଦ୍ଧାର କରିବାକୁ ବ୍ୟବସ୍ଥା କରାଯାଇଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୩ ଦିନ ମଧ୍ୟରେ ୨୬ଟି ବିମାନ ଅପରେନସ ଗଙ୍ଗା ବା ୟୁକ୍ରେନରେ ଉଦ୍ଧାର କାର୍ଯ୍ୟ କରିବ। ଏହି ବିମାନ ଗୁଡ଼ିକରେ ୟୁକ୍ରେନରୁ ପଡ଼ୋଶୀ ଦେଶକୁ ଯାଇଥିବା ଭାରତୀୟଙ୍କୁ ଅଣାଯିବ ବୋଲି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ସିଙ୍ଘଳ ସୂଚନା ଦେଇଛନ୍ତି।

Related Posts