ଭାରତକୁ ଆହୁରି ସୁଲଭ ମୂଲ୍ୟରେ ତେଲ ଦେବ ରୁଷ୍: କିନ୍ତୁ ଏହି ସର୍ତ୍ତରେ…

ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏଯାବତ୍ ଚାଲୁ ରହିଛି । ରୁଷ୍‌ର ଆୟ ଉତ୍ସକୁ ସଙ୍କୁଚିତ କରିବା ଲାଗି ତାହାର ତୈଳ ମୂଲ୍ୟର ଏକ ନିର୍ଦିଷ୍ଟ ସୀମା ନିର୍ଧାରଣ କରିବା ବିଷୟରେ ଶକ୍ତିଶାଳୀ ଜି୭ ରାଷ୍ଟ୍ର ସମୂହ ବିଚାର କରୁଛି। ଏଭଳି ଏକ ସମୟରେ ଭାରତକୁ ଆହୁରି ସୁଲଭ ମୂଲ୍ୟରେ ତେଲ ବିକ୍ରି କରିବାକୁ ରୁଷ୍ ଚାହୁଛି।

କିନ୍ତୁ ପ୍ରତି ବଦଳରେ ରୁଷ୍ ଏହା ଚାହୁଛି ଯେ ଜି୭ ଯେଉଁ ପ୍ରସ୍ତାବ ଆଣିବ ତାହାକୁ ଭାରତ ବିରୋଧ କରୁ। ଜି୭ରେ କାନାଡା, ଫ୍ରାନ୍ସ, ଜର୍ମାନି, ଇଟାଲି, ଜାପାନ, ବ୍ରିଟେନ୍ ଓ ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ରହିଛନ୍ତି। ୟୁରୋପୀୟ ସଂଘ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଦେଇଛି। ସବୁ ଅଂଶୀଦାରଙ୍କ ସହ ଆଲୋଚନା କରିବା ପରେ ଭାରତ ଏନେଇ ନିଷ୍ପତ୍ତି ନେବ। ଗତ ଦୁଇ ମାସରେ ତେଲ ଉପରେ ଇରାକ ଯେଉଁ ରିହାତି ଦେଉଛି ତା’ଠାରୁ ଯଥେଷ୍ଟ ଅଧିକ ରିହାତି ଦେବା ଲାଗି ରୁଷ୍‌ ପ୍ରସ୍ତାବ ଦେଇଛି।

ମେ’ ମାସରେ ଭାରତକୁ ପ୍ରତି ବ୍ୟାରେଲ୍‌ରେ ରୁଷ୍‌ ୧୬ ଡଲାର ରିହାତି ଦେଇଥିଲା। ଜୁନ୍‌ରେ ରିହାତି ପରିମାଣ ୧୪ ଡଲାରକୁ ହ୍ରାସ ପାଇଥିଲା। ଅଗଷ୍ଟ ମାସ ପାଇଁ ବ୍ୟାରେଲ ପିଛା ମାତ୍ର ୬ ଡଲାର ରିହାତି ମିଳିଥିଲା। ଜୁନ୍ ମାସରେ ରୁଷ୍ ତେଲ ତୁଳନାରେ ଇରାକ ବ୍ୟାରେଲ ପିଛା ୯ ଡଲାର ରିହାତି ଦେବାରୁ ଇରାକ ଠାରୁ ଭାରତ ବିପୁଳ ତେଲ କିଣିଥିଲା। ସେଥିପାଇଁ ଭାରତର ପ୍ରମୁଖ ତେଲ ଯୋଗାଣକାରୀ ତାଲିକାରେ ରୁଷ୍ ତୃତୀୟ ସ୍ଥାନକୁ ଖସିଯାଇଥିଲା। ଭାରତ ଏହାର ତୈଳ ଆବଶ୍ୟକତାର ୨୦.୮ ପ୍ରତିଶତ ସାଉଦି ଆରବ, ୨୦.୬ ପ୍ରତିଶତ ଇରାକ ଓ ୧୮.୨ ପ୍ରତିଶତ ରୁଷ୍ ଜରିଆରେ ପୂରଣ କରୁଛି। ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ କରିବା ପୂର୍ବରୁ ରୁଷ୍‌ରୁ ଭାରତ ୧%ରୁ କମ୍ ତେଲ ମଗାଉଥିଲା। ମାତ୍ର ରୁଷ୍ ବିପୁଳ ରିହାତି ଦେବା ଆରମ୍ଭ କରିବା ଭାରତ ସେଠାରୁ ଅଧିକ ତେଲ କିଣିବା ଆରମ୍ଭ କରିଥିଲା।

Related Posts