‘ମୋ ବିଭାଗରେ ଅନେକ ଚୋର ଅଛନ୍ତି ଏବଂ ମୁଁ ସେମାନଙ୍କର ମୁଖ୍ୟ’: ବିହାର କୃଷିମନ୍ତ୍ରୀ ସୁଧାକର ସିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ‘ମୋ ବିଭାଗରେ ଅନେକ ଚୋର ଅଛନ୍ତି ଏବଂ ମୁଁ ସେମାନଙ୍କର ମୁଖ୍ୟ’। କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ବିହାରର କୃଷିମନ୍ତ୍ରୀ ସୁଧାକର ସିଂହ। ବିହାରର କୈମୁର୍‌ ଜିଲ୍ଲାରେ କୃଷକମାନଙ୍କ ଏକ ସଭାକୁ ଉଦ୍‌ବୋଧନ ଦେବା ଅବସରରେ ସୁଧାକର ସିଂହ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଆକ୍ଷେପ କରି ଏଭଳି କହିଥିବା ଦେଖିବାକୁ ମିଳିଥିଲା।

କୃଷକମାନଙ୍କ ଏହି ସଭାରେ କୃଷିମନ୍ତ୍ରୀ ଶ୍ରୀ ସିଂହ କହିଥିଲେ ଯେ, ମୋ ବିଭାଗରେ ଅନେକ ଗୁଡ଼ାଏ ଚୋର ଅଛନ୍ତି ଆଉ ସେମାନେ ଟଙ୍କା ଚୋରି କରୁଛନ୍ତି। ମୁଁ ଯେହେତୁ ସେହି ବିଭାଗର ଦାୟିତ୍ବରେ ଅଛି ତେଣୁ ଏବେ ମୁଁ ସେମାନଙ୍କର ମୁଖ୍ୟ ହୋଇଯାଇଛି। ମୋ ଉପରେ ମଧ୍ୟ ଆହୁରି ଅନେକ ମୁଖ୍ୟ ଅଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କୁ ସଚେତନ କରାଇବା ସର୍ବସାଧାରଣଙ୍କ କର୍ତ୍ତବ୍ୟ। ଆପଣମାନେ ଯଦି କୁଶପୁତ୍ତଳିକା ଦହନ କରିବେ, ତାହେଲେ କୌଣସି ବିଭ୍ରାଟ ଘଟିଛି ବୋଲି ମୁଁ ହୃଦୟଙ୍ଗମ କରିବି। ଆପଣମାନେ ଯଦି ତାହା ନ କରନ୍ତି ମୋର ମନେହେବ ଯେ ସବୁ କିଛି କାର୍ଯ୍ୟ ସୁଚାରୁରୂପେ ଚାଲିଛି।

ସୂଚନାଯୋଗ୍ୟ ଯେ, ନୀତୀଶ କୁମାରଙ୍କ ନୂଆ ମହା ଗଠବନ୍ଧନ ସରକାରରେ କୃଷିମନ୍ତ୍ରୀ ଥିବା ସୁଧାକର ସିଂହ ହେଉଛନ୍ତି ‘ରାଷ୍ଟ୍ରୀୟ ଜନତା ଦଳ’ର ରାଜ୍ୟ ସଭାପତି ଜଗଦାନନ୍ଦ ସିଂହଙ୍କ ପୁତ୍ର । ସେ ଏବେ ବିହାରର କୈମୁର୍‌ ଜିଲ୍ଲାର ରାମଗଡ଼ ବିଧାନସଭା କ୍ଷେତ୍ରର ବିଧାୟକ ଅଛନ୍ତି।

Related Posts