୫୨ ଦିନରେ ରୁଷ ଓ ୟୁକ୍ରେନ ଯୁଦ୍ଧ: ଇତି ମଧ୍ୟରେ ୩ ହଜାର ସୈନ୍ୟଙ୍କୁ ହରାଇଲାଣି ୟୁକ୍ରେନ

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ | ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧ, ଇତି ମଧ୍ୟରେ ୫୨ ଦିନରେ ପହଁଚିଛି | ରୁଷର ଲଗାତାର ଆକ୍ରମଣରେ ୟୁକ୍ରେନ ବ୍ୟାପକ କ୍ଷତି ସହିବାରେ ଲାଗିଛି। ରୁଷ ଭଳି ଶକ୍ତିଶାଳୀ ଦେଶର ମୁକାବିଲା କରୁଥିବା ୟୁକ୍ରେନ ଇତି ମଧ୍ୟରେ ପ୍ରାୟ ୩ ହଜାର ସୈନ୍ୟଙ୍କୁ ହରାଇ ସାରିଲାଣି। ସେହିପରି ୧୦ ହଜାରରୁ ଅଧିକ ସୈନ୍ୟ ଆହତ ହୋଇ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ତଥାପି ୟୁକ୍ରେନ ହାରି ମାନିନାହିଁ। ପୂର୍ବଭଳି ରୁଷ ସହ ୟୁକ୍ରେନର ସେନା ଲଢ଼େଇ କରୁଥିବା ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଛନ୍ତି।

ଗୋଟିଏ ଚ୍ୟାନେଲକୁ ସାକ୍ଷାକାର ଦେଇ ଜେଲେନସ୍କି କହିଛନ୍ତି, ଯୁଦ୍ଧରେ ୟୁକ୍ରେନ ପ୍ରାୟ ୩ ହଜାର ସୈନ୍ୟଙ୍କୁ ହରାଇଛି। ଅନ୍ୟୂନ ୧୦,୦୦୦ ସୈନିକ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣ ବଞ୍ଚିବେ କହିବା ମୁସ୍କିଲ୍‌ ବୋଲି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଛନ୍ତି।

ଶହଶହ ମୃତଦେହ ଧ୍ୱଂସସ୍ତୂପ ତଳୁ ମିଳୁଛି। ୟୁକ୍ରେନର ଆକଳନ ଅନୁଯାୟୀ ରୁଷ ମଧ୍ୟ ଯୁଦ୍ଧରେ ୧୯ରୁ ୨୦ ହଜାର ଯବାନଙ୍କୁ ହରାଇଲାଣି। ୟୁକ୍ରେନରେ ରୁଷର ଆକ୍ରମଣ ଯୋଗୁ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଛି। ତେଣୁ ଯୁଦ୍ଧରେ କେତେ ସାଧାରଣ ଲୋକ ପ୍ରକୃତରେ ପ୍ରାଣ ହରାଇଛନ୍ତି, ତା’ର ଆକଳନ କରିବା କଷ୍ଟକର ହୋଇପଡ଼ିଛି ବୋଲି ସେ କହିଛନ୍ତି।

ଜାତିସଂଘ ମାନବାଧିକାର କମିଶନର ସୂଚନା ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ୟୁକ୍ରେନରେ ୨ ହଜାର ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୟୁକ୍ରେନ ଅଧିକାରୀଙ୍କ କହିବା କଥା ରୁଷ ଯୁଦ୍ଧରେ ୧୮,୬୦୦ ଯବାନଙ୍କୁ ହରାଇଛି। ୩ ସପ୍ତାହ ତଳେ ନାଟୋ ୧୫ ହଜାର ରୁଷ ଯବାନଙ୍କ ମୃତ୍ୟୁ ଘଟିଥିବା କହିଥିଲା। ରୁଷ ମଧ୍ୟ ଗତ ମାସରେ ୧୩୫୧ ଜଣ ଯବାନ ଯୁଦ୍ଧରେ ପ୍ରାଣ ହରାଇଥିବା ସ୍ୱୀକାର କରିଥିଲା।

ଯୁଦ୍ଧରେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟୁଥିବାରୁ ଜେଲେନସ୍କି ଗଭୀର ଭାବେ ମର୍ମାହତ ହୋଇଛନ୍ତି। ସେ କହିଛନ୍ତି, “ଏହା ମୋ ପାଇଁ ବହୁତ ବଡ଼ ଯନ୍ତ୍ରଣାଦାୟକ ଘଟଣା। ଜଣେ ବାପା ହସିବାରେ ଏସବୁ ଦେଖିବାକୁ ମୋ ପାଇଁ କଷ୍ଟକର। କେବଳ ପ୍ରତିଶୋଧ ଓ ହତ୍ୟା ପାଇଁ ଆକ୍ରମଣ କରାଯାଉଛି। ଗୋଟିଏ ଦେଶର ରାଷ୍ଟ୍ରପତି ହିସାବାରେ ମୁଁ ବାଧ୍ୟ ହୋଇ ଶହଶହ ଲୋକଙ୍କ ମୃତଦେହ ଦେଖିବାକୁ ବାଧ୍ୟ ହେଉଛି।

ଲୋକମାନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଉଛି। ଏହା ସତ୍ତ୍ୱେ ମଧ୍ୟ ଆମେ ସମସ୍ତେ ଲଢ଼େଇ କରୁଛୁ ଓ ଆଗକୁ ମଧ୍ୟ କରିବୁ। ଆମେ ଜାଣିନୁ ଏ ଯୁଦ୍ଧ କେତେଦିନ ଚାଲିବ। କିଛି ଲୋକ କହୁଛନ୍ତି ସପ୍ତାହେ ତ ଆଉ କିଛି କହୁଛନ୍ତି ଯୁଦ୍ଧ ବର୍ଷବର୍ଷ ଧରି ଚାଲିବ। ଯୁଦ୍ଧ ଯେତେଦିନ ଚାଲିବ, ଆମେ ଲଢ଼େଇ କରିବାକୁ ପ୍ରସ୍ତୁତ ରହିଛୁ।

ରୁଷ ସତ ଚେଷ୍ଟା କରି ମଧ୍ୟ ତା’ ଯୋଜନାରେ ସଫଳ ହୋଇନି। ଆମ ଦେଶର ସେନା ଯୁଦ୍ଧ କ୍ଷେତ୍ରରେ ସେମାନଙ୍କୁ ମୁହଁତୋଡ଼ ଜବାବ ଦେଉଛନ୍ତି। କିନ୍ତୁ ଏଯାଏ ଆମେ ସଂପୂର୍ଣ୍ଣ ଭାବେ ବେଆଇନ ଦଖଲକାରୀଙ୍କୁ ଆମ ଦେଶରୁ ବାହାର କରିପାରି ନାହୁଁ। ଆମେ ସେମାନଙ୍କ ଉପରେ ଆହୁରି ବଡ଼ ପ୍ରହାର କରିବୁ।”

ୟୁକ୍ରେନ ପୁଲିସ୍‌ ଇତି ମଧ୍ୟରେ ରାଜଧାନୀ କିଭ୍‌ର ଆଖପାଖ ସହରରୁ ୯୦୦ରୁ ଅଧିକ ମୃତଦେହ ଉଦ୍ଧାର କଲାଣି। ରୁଷ ଏଠାରୁ ସେନା ପ୍ରତ୍ୟାହାର କରିବା ପରେ ମୃତଦେହଗୁଡ଼ିକ ମିଳିବାରେ ଲାଗିଛି। ଅଧିକାଂଶ ମୃତକଙ୍କ ଦେହରେ ଗୁଳିମାଡ଼ର ଚିହ୍ନ ରହିଛି। ଏହାର ଅର୍ଥ ସାଧାରଣ ଲୋକଙ୍କୁ ରୁଷ ଗୁଳି କରି ନିର୍ମମ ଭାବେ ହତ୍ୟା କରିଥିବା ୟୁକ୍ରେନ ପୁଲିସ୍‌ ସୂଚନା ଦେଇଛି।

ଏହାଛଡ଼ା, ପୂର୍ବ ୟୁକ୍ରେନ୍‌ରେ ପୂର୍ବାପେକ୍ଷା ଅଧିକ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି। ଦକ୍ଷିଣାଞ୍ଚଳ ବନ୍ଦର ନଗରୀ ମାରିଉପୋଲ୍‌ରେ ମଧ୍ୟ ଲଢ଼େଇ ଚାଲିଛି। ସେଠାରେ ରୁଷୀୟ ସୈନିକମାନେ ଶବ ପୋତି ପକାଉଥିବା କଥା ସ୍ଥାନୀୟ ଲୋକେ ଦେଖୁଥିବା ଖବର ମଧ୍ୟ ମିଳିଛି।

ଉତ୍ତରାଞ୍ଚଳ ନଗରୀ ଖାର୍କିଭ୍‌ର ଆବାସିକ ଅଞ୍ଚଳରେ ବୋମା ମାଡ଼ ଯୋଗୁଁ ଜଣେ ୭ ମାସର ଶିଶୁ ସମେତ ୭ଜଣଙ୍କର ମୃତ୍ୟୁ ଘଟିଛି ‌ଏବଂ ୩୫ଜଣ ଆହତ ହୋଇଥିବା କଥା ଆଞ୍ଚଳିକ ଗଭର୍ଣ୍ଣର୍‌ ‌ଓଲେହ୍‌ ସିନେହୁବୋଭ୍‌ କହିଛନ୍ତି।

Related Posts