୪୦ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନ୍‌ର ରାଜଧାନୀ କିଭ୍‌ ପାଲଟିଛି ଶ୍ମଶାନ, ରାସ୍ତା ଉପରେ ପଡିଛି ମାଳ ମାଳ ଶବ

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜିକୁ ୪୦ ଦିନରେ ପହଁଚିଛି | ଯୁଦ୍ଧ ଥମିବାର ନାଁ ଧରୁନଥିବା ବେଳେ, ରୁଷ ଲଗାତର ଭାବେ ୟୁକ୍ରେନ୍‌ ଉପରକୁ ମାଡ କରି ଚାଲିଛି ମିସାଇଲ। ଏହାରି ଭିତରେ ୟୁକ୍ରେନ୍‌ର ସବୁଠୁ ସୁନ୍ଦର ରାଜଧାନୀ କିଭ୍‌ ଏବେ ପାଲଟିଛି ଶ୍ମଶାନ | ଯୁଆଡେ ଚାହିଁଲେ ସିଆଡେ କେବଳ ମୃତଦେହ। ରାସ୍ତା ଉପରେ ପଡିଛି ମାଳ ମାଳ ଶବ। କିଭ୍‌ ସହରକୁ ପୁରା ଛାରଖାର କରିଦେଇଛନ୍ତି ରୁଷ ସେନା | ୟୁକ୍ରେନ୍‌ର ସବୁଠୁ ସୁନ୍ଦର ରାଜଧାନୀ କିଭ୍‌ ଭଗ୍ନାବିଶେଷ ଓ ମୃତ ଦେହ ମଧ୍ୟରେ ଆଚ୍ଛାଦିତ ହୋଇଛି |

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କିଭ୍‌କୁ ପୁଣି ଥରେ ୟୁକ୍ରେନ ଦଖଲ କରିଛି। ରୁଷ ସେନା କିଭ୍‌ରୁ ଚାଲିଯିବା ପରେ ୟୁକ୍ରେନ୍‌ ସେନା କିଭରେ ପ୍ରବେଶ କରିଛନ୍ତି। ତେବେ କିଭ୍‌ରେ ପ୍ରବେଶ କରିବା ପରେ ସେଠାକାର ଦୃଶ୍ୟ ଦେଖି ଚକିତ ହୋଇପଡିଛନ୍ତି ସୈନିକ। କିଭ୍‌ ରାସ୍ତାରେ ମାଳ ମାଳ ମୃତଦେହ ପଡିଛି। ଏହା ବର୍ଣ୍ଣନା କରୁଛି ଯେ ରୁଷ ସେନା କିଭଳି ନରସଂହାର କରିଛନ୍ତି। କିଭଳି ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି।

ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, କିଭ୍‌ର କେବଳ ଗୋଟିଏ ଗଳିରୁ ୨୦ଜଣଙ୍କ ମୃତଦେହ ମିଳିଛି। ନ୍ୟୁଜ୍ ଏଜେନ୍ସି AFP ବୁକା ସହରର ମେୟରଙ୍କ ଉଦ୍ଦେଶ୍ୟରେ କହିଛି ଯେ ଏଠାରେ ଏକ ଜନ ସମାଧି ମିଳିଛି, ଯେଉଁଠି ୨୮୦ ଜଣଙ୍କ ମୃତଦେହ ମିଳିଛି। କିଭ୍‌ ଓ ବୁକାରୁ ଆସୁଥିବା ଏହି ହୃଦୟବିଦାରକ ଚିତ୍ର ଏବେ ସମସ୍ତଙ୍କୁ ଦୋହଲାଇ ଦେଇଛି।

ୟୁକ୍ରେନ ସେନା ସାବଧାନତାର ସହ କିଭ୍‌ରେ ପ୍ରବେଶ କରୁଛନ୍ତି। ଲାଗୁଛି ହସୁଥିବା ଖେଳୁଥିବା କିଭ୍‌ ଏବେ ଧ୍ୱଂସାବଶେଷରେ ପରିଣତ ହୋଇଛି।

ସେପଟେ ମାରିୟୁପୋଲରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ହଜାର ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ିଚାଲିଛି। ଏଭଳି ସ୍ଥିତିରେ ବି ସହରରେ ଲକ୍ଷାଧିକ ଲୋକ ବଞ୍ଚିବାପାଇଁ ସଂଘର୍ଷ ଜାରି ରଖିଛନ୍ତି। ଖାଦ୍ୟ, ପାଣି, ବିଦ୍ୟୁତ, ଗ୍ୟାସ୍ କିଛି ବି ଜରୁରୀ ସାମଗ୍ରୀ ଉପଲବ୍ଧ ନାହିଁ। ତେବେ ମାରିୟୁପୋଲ୍‌ରେ ସହାୟତା ପହଞ୍ଚାଇବାକୁ ରେଡ୍ କ୍ରସର ପ୍ରୟାସ ଜାରି ରହିଛି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଗତ ଫେବ୍ରୁଆରୀ ୨୪ ତାରିଖ ଠାରୁ ଯୁଦ୍ଧ ଆରମ୍ଭ ହୋଇଛି। ଉଭୟ ଦେଶ ମଧ୍ୟରେ ଅନେକ ପର୍ଯ୍ୟାୟରେ ଆଲୋଚନା ମଧ୍ୟ ହୋଇଛି। ଆଲୋଚନା ବିଫଳ ହୋଇଥିବାରୁ ଉଭୟ ଦେଶର ବହୁତ କ୍ଷତି ହୋଇଛି। ୟୁକ୍ରେନ୍‌ରୁ ବିଦେଶ ନାଗରିକମାନେ ସ୍ବଦେଶ ଫେରିଯାଇଛନ୍ତି। ୟୁକ୍ରେନ ଦେଶରୁ ପଳାୟନ କରି ଲୋକେ ବିଦେଶୀ ରାଷ୍ଟ୍ରର ଶରଣ ପଶିଛନ୍ତି।

Related Posts