24 ଦିନରେ ପହଂଚିଛି ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ । ଋଷ ସେନା ଲଗାତାର ଭାବେ ଆକ୍ରମଣ କରି ଚାଲିଥିବା ବେଳେ ୟୁକ୍ରେନ ସେନା କଡ଼ା ଜବାବ ଦେବାରେ ଲାଗିଛନ୍ତି । ଶାନ୍ତି ପାଇଁ ଏହାରି ମଧ୍ୟରେ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇଛି । ବିଦେଶୀ ରାଷ୍ଟ୍ରର ଚାପ ମଧ୍ୟ ପଡ଼ିଛି । କିନ୍ତୁ ଏସବୁ ରୁଷିଆ ଆଗରେ ଫିକା ପଡ଼ି ଯାଇଛି । ୟୁକ୍ରେନ୍ର ରାଜଧାନୀ କିଭ୍ ଠାରୁ ପୂର୍ବାଞ୍ଚଳରେ ଥିବା ଖାରକିଭ୍ ପର୍ଯ୍ୟନ୍ତ ରୁଷିଆର ସେନା ବୋମାମାଡ଼ ଜାରି ରଖିଛନ୍ତି । ମାରିୟୁପୋଲ ଓ ସୁମିରେ ମଧ୍ୟ ବୋମାର ଶବ୍ଦ କମି ନାହିଁ । ଅପରପକ୍ଷେ ଯୁଦ୍ଧ ଜାରି ଥିବା ବେଳେ ମାରିୟୁପୋଲରୁ ୪୯୭୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଏଥିରେ ୧୧୨୪ ଜଣ ଶିଶୁ ଅଛନ୍ତି । ସୁମୀ ଅଞ୍ଚଳରୁ ୪୧୭୩ ଜଣଙ୍କୁ ଉଦ୍ଧାର କରାଯାଇଛି ।
ଆଜି ରୁଷିଆର ସେନା ମାରିୟୁପୋଲର କେନ୍ଦ୍ରସ୍ଥଳୀରେ ଥିବା ଏକ ସିନେମା ହଲରେ ଆକାଶମାର୍ଗରୁ ଆକ୍ରମଣ କରିଛି । ଏହି ସିନେମା ହଲରେ ଶତାଧିକ ଲୋକ ଆଶ୍ରୟ ନେଇଥିଲେ । ଆକ୍ରମଣ ପରେ ଏପର୍ଯ୍ୟନ୍ତ ୧୩୦ ଜଣଙ୍କୁ ଉଦ୍ଧାର କରାଯାଇଛି । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି ଯେ, ଶତାଧିକ ଲୋକ ଏବେ ବି ଥିଏଟର ଭିତରେ ଚାପି ହୋଇଯାଇଛନ୍ତି ।