ଖାର୍କିଭ ନିକଟରେ ଥିବା ସୈନ୍ୟ ଅଡ୍ଡା ଉପରେ ରୁଷର ଆକ୍ରମଣ; ପ୍ରାୟ ୭୦ ରୁ ଅଧିକ ୟୁକ୍ରେନ ସୈନ୍ୟ ନିହତ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚଛି । ଉଭୟ ଦେଶ ପରସ୍ପରକୁ ଜୋରଦାର ଆକ୍ରମଣ କରିବାରେ ଲାଗିଛନ୍ତି । ସେପଟେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ପରିସ୍ଥିତିର ସମାଧାନ ପାଇଁ କୂଟନୈତିକ ପ୍ରୟାସ ଜାରି ରହିଥିଲେ ବି କୌଣସି ଫଳ ମିଳିପାରିନାହିଁ । ଏହା ମଧ୍ୟରେ ରୁଷ ଆକ୍ରମଣରେ ୭୦ରୁ ଅଧିକ ୟୁକ୍ରେନ ସୈନିକଙ୍କର ମୃତ୍ୟୁ ଘଟିଥିବାର କଥା ସାମ୍ନାକୁ ଆସିଛି । ତେବେ ୟୁକ୍ରେନର ଖାର୍କିଭ ଏବଂ କିଭ ମଧ୍ୟରେ ଥିବା ଓ଼ଖାର୍ତିକାରର ଏକ ସୈନ୍ୟ ଅଡ୍ଡା ଉପରେ ଋଷ ସେନା ପକ୍ଷରୁ ଆକ୍ରମଣ କରାଯାଇଛି । ଏଥିରେ ୭୦ରୁ ଅଧିକ ୟୁକ୍ରେନ ସୈନିକଙ୍କ ମୃତ୍ୟୁ ହୋଇଯାଇଛି ।

ସେହିପରି ସାଟେଲାଇଟ୍ ଚିତ୍ରଗୁଡ଼ିକରେ ଦେଖିବାକୁ ମିଳିଛି ଯେ ୬୪ କିଲୋମିଟର ଲମ୍ବା ସାମରିକ ବାହିନୀ ୟୁକ୍ରେନର ରାଜଧାନୀ କିଭ ଅଭିମୁଖେ ଯାଉଛନ୍ତି । ଏଥିରେ ସେନା ଟ୍ରକ, ସଶସ୍ତ୍ର ଯାନ, ଟ୍ୟାଙ୍କ ଓ ଶତାଧିକ ସୈନିକ ଅଛନ୍ତି । ଅନ୍ୟପଟେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ଆଜି ଅଷ୍ଟମ ବିମାନ ବୁଦ୍ଧାପେଷ୍ଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ସେହିପରି ଅପରେସନ୍ ଗଙ୍ଗା ଅଧୀନରେ, ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ନେଇ ସପ୍ତମ ବିମାନ ମଧ୍ୟ ଭାରତରେ ପହଞ୍ଚିଛି। ସୂଚନା ଅନୁଯାୟୀ, ୧୮୨ ଜଣ ଭାରତୀୟ ନାଗରିକଙ୍କୁ ନେଇ ସପ୍ତମ ବିମାନ ମଙ୍ଗଳବାର ସକାଳେ ରୋମାନିଆରୁ ମୁମ୍ବାଇରେ ପହଞ୍ଚିଛି। କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଭାରତୀୟ ଛାତ୍ରମାନଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ।

Related Posts