
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସାରା ବିଶ୍ୱ ନିନ୍ଦା କରିବାରେ ଲାଗିଛି । ରୁଷ ଏପରି କାର୍ଯ୍ୟକଳାପକୁ ଅନେକ ଦେଶ ବିରୋଧ କରିବାରେ ଲାଗିଛି । ତଥା ପି ରୁଷ ୟୁକ୍ରେନକୁ ଆକ୍ରମଣ କରିବାରେ ଲାଗିଛି । ଏହା ମଧ୍ୟରେ ରୁଷ ଉପରେ ଡିଜିଟାଲ ଷ୍ଟ୍ରାଇକ ହୋଇଥିବାର ଖବର ସାମ୍ନାକୁ ଆସିଛି । ତେବେ ରୁଷ ବିରୋଧରେ ଆଇଟି କମ୍ପାନୀଗୁଡିକ ଏକ ବଡ ଅଭିଯାନ ଆରମ୍ଭ କରିଛନ୍ତି। ରୁଷ ସହ ଜଡିତ ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ କରିଦେଇଛି କମ୍ପାନୀ। ଏବେ ଏହି ରୁଷ ବିରୋଧୀ ଅଭିଯାନରେ ଗୁଗଲ ମଧ୍ୟ ସାମିଲ ହୋଇଛି। ରୁଷର ଅନେକ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ କରିଛି ଗୁଗଲ। ଗୁଗଲ ଦ୍ୱାରା ଅପରେଟ୍ ହେଉଥିବା ଆଲ୍ଫାବେଟ୍ ଇଙ୍କ କମ୍ପାନୀ ରୁଷ ମିଡିଆ ଆଉଟଲେଟ୍ ରସଆ ଟୁଡେ ଏବଂ ସୁପ୍ଟିକ୍ ସହ ଜଡିତ ସମସ୍ତ ୟୁଟ୍ୟୁବ ଚ୍ୟାନେଲକୁ ବ୍ଳକ କରିଦେଇଛି। ଏହି ଦୁଇଟି ୟୁଟ୍ୟୁବ୍ ଚ୍ୟାନେଲର ସମ୍ବନ୍ଧ ସିଧାସଳଖ ରୁଷ ସରକାର ସହ ଥିଲା। ଅନ୍ୟପକ୍ଷରେ ନେଟ୍ଫ୍ଲିକ୍ସ ମଧ୍ୟ ରୁଷ ବିରୋଧରେ କଡା ପଦକ୍ଷେପ ନେଇଛି।
ତା’ର ଓଟିଟି ପ୍ଲାଟଫର୍ମରେ ରୁଷ କୌଣସି ବି ଚ୍ୟାନେଲକୁ ପ୍ରସାରିତ କରିବ ନାହିଁ ବୋଲି ଘୋଷଣା କରିଛି। ଫ୍ରାନ୍ସ କହିଛି ଯେ, ସୋଶାଲ ମିଡିଆ ନେଟ୍ୱର୍କ ସୁପ୍ଟନିକ୍ ଚ୍ୟାନେଲକୁ ଫ୍ରାନ୍ସରେ ବ୍ଲକ କରାଯାଇଛି। ତେବେ ଟେଲିଗ୍ରାମ ଚ୍ୟାନେଲ ଏବେବି କାମ କରୁଛି। ସେପଟେ ଟ୍ୱିଟର ମଧ୍ୟ ରୁଷ ସହ ଜଡିତ ସମସ୍ତ ମିଡିଆ ୱେବ୍ସାଇଟ୍ର ସମସ୍ତ ଟ୍ୱିଟ୍ରେ ‘ଷ୍ଟେ ଇନ୍ଫର୍ମଡ୍’ ଲେବୁଲ ଲଗାଇବ ବୋଲି ଘୋଷଣା କରିଛି। ରୁଷ ସୋଶାଲ ମିଡିଆ ଜରିଆରେ ବିଭ୍ରାନ୍ତିକର ଖବର ପ୍ରଚାରପ୍ରସାର କରୁଥିବା ଅଭିଯୋଗ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ରୁଷ ୟୁକ୍ରେନ୍ ଉପରେ ଚାରିଆଡୁ ଆକ୍ରମଣ କରି ଚଲାଇଛି। ଘଟଣାର ଅପପ୍ରଚାର ପାଇଁ ଟିକ୍ଟକ୍ ମଧ୍ୟ ରୁଷର ସ୍ୱତନ୍ତ୍ର ମାଧ୍ୟମ ସାଜିଛି। ରୁଷର ଟ୍ରୋଲର୍ସମାନେ ଲଗାତର ୟୁକ୍ରେନ୍ ବିରୋଧୀ ଭାବନାକୁ ବଢ଼ାଉଥିବା ଅଭିଯୋଗ ଉଠିଛି।