ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ଜୋରଦାର: ଯୁଦ୍ଧରେ ସାମିଲ ହେଲେ ୧୬ ବର୍ଷରୁ ଉର୍ଦ୍ଧ ଅନେକ ପିଲା !

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଥମିବାର ନାଁ ଧରୁନି | ଫେବୃଆରୀ ୨୪ ରୁ ଆରମ୍ଭ ହୋଇଥିବା ଯୁଦ୍ଧ ଏଯାବତ ଲାଗି ରହିଛି | ରୁଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରିଚାଲିଥିବା ବେଳେ, ଯାହାର କଡା ମୁକାବିଲା କରୁଛନ୍ତି ୟୁକ୍ରେନ ସେନା | ଫଳରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଲାଗି ରହିଛି | ୟୁକ୍ରେନ ସହ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧ ଯୋଗୁଁ ଋଷ କ୍ରୋଧିତ ହୋଇଛି । ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ଜୋରଦାର କରିଛି । ତେବେ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ, ଋଷ ୟୁକ୍ରେନରେ ନିଜ ସୈନ୍ୟ ସଂଖ୍ୟା ବଢାଇବା ପାଇଁ ପିଲାଙ୍କୁ ବ୍ୟବହାର କରୁଛି । ମାନବ ଅଧିକାର ସଂଗଠନ କହିଛି ଯେ, ଏହି ଯୁଦ୍ଧରେ ଋଷର ଅନେକ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ଏମିତିରେ ସେମାନଙ୍କର ଅଭାବ ପୂରଣ ପାଇଁ ପିଲାମାନଙ୍କୁ ସୈନ୍ୟ ନିଯୁକ୍ତି ଦେଉଛି ।

‘ଡେଲି ମେଲ୍’ର ରିପୋର୍ଟ ଅନୁସାରେ, ମାନବାଧିକାର ସଂଗଠନ ଅଭିଯୋଗ କରିଛି ଯେ, ଋଷ ୧୬ ବର୍ଷର ପିଲାମାନଙ୍କୁ ସେନାରେ ଭର୍ତ୍ତି କରୁଛି । ଜଣେ ଅଧିକାରୀ କହିଛନ୍ତି ଯେ, କ୍ରେମଲିନ୍ ପୂର୍ବ ୟୁକ୍ରେନରେ ନିଜର ସୈନ୍ୟ ବୃଦ୍ଧି ପାଇଁ ପିଲାମାନଙ୍କୁ ଭର୍ତ୍ତି କରୁଛି । ପ୍ରାୟ ୩୦,୦୦୦ ପିଲାଙ୍କୁ ଭର୍ତ୍ତି କରିସାରିଲାଣି । କାରଣ ଏହି ସଂଖ୍ୟାରେ ସୈନ୍ୟ ଯୁଦ୍ଧରେ ପ୍ରଭାବିତ ହେଉଛନ୍ତି ।

ସେପଟେ ୟୁକ୍ରେନ କହିଛି ଯେ, ପିଲାମାନଙ୍କୁ ସେନାରେ ଭର୍ତ୍ତି କରିବା ଜେନେଭା କନଭେନସନର ଉଲ୍ଲଂଘନ । ୟୁକ୍ରେନ ଏହି ଘଟଣାର ତଦନ୍ତ ଦାବି କରିଛି । ମାନବ ଅଧିକାର ସଂଗଠନ ଅଭିଯୋଗ କରିଛି ଯେ, ପିଲାମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ତାଲିମ ଦିଆଯାଉଛି । ଖୁବଶୀଘ୍ର ସେମାନଙ୍କୁ ଯୁଦ୍ଧ ମୈଦାନକୁ ପଠାଯିବ । ତାଲିମରେ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣଠାରୁ ଆରମ୍ଭ କରି ସାମରିକ ଏବଂ ପ୍ରତିରକ୍ଷା କୌଶଳ ଶିକ୍ଷା ଦିଆଯାଉଛି |

ସେପଟେ ପୂର୍ବ ୟୁକ୍ରେନ୍‌ରେ ଲଢ଼େଇ ତୀବ୍ର ହୋଇଛି । ମାରିୟୁପୋଲରେ ମଧ୍ୟ ରୁଷିଆର ସେନା ଲଗାତାର ବୋମାମାଡ଼ କରିଛି । ୟୁକ୍ରେନ୍ ତରଫରୁ କୁହାଯାଇଛି ଯେ, ଇରପିନରେ ରୁଷିଆ ଆକ୍ରମଣରେ ୨୬୯ ଜଣଙ୍କର ମୃତ୍ୟୁ ହୋଇଛି । ଲଭୀଭରେ ରୁଷୀୟ ସେନାର ମିସାଇଲ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ରୁଷିଆ ତରଫରୁ ତୀବ୍ର କରାଯାଇଥିବା ଏହି ଆକ୍ରମଣ ପରେ ୟୁକ୍ରେନରେ ଏୟାର ରେଡ ଆଲର୍ଟ କରାଯାଇଛି ।

ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି ତରଫରୁ କୁହାଯାଇଛି ଯେ, ରୁଷିଆ ସୈନିକ ଡନବାସ ପାଇଁ ଲଢ଼େଇ ଆରମ୍ଭ କରିଦେଇଛନ୍ତି । ଏଥି ସହିତ ସେ କହିଛନ୍ତି ଯେ, ରୁଷିଆ ଯେତେ ପରିମାଣରେ ସୈନିକ ମୁତୟନ କରୁ ପଛେ, ଆମେ ୟୁକ୍ରେନବାସୀଙ୍କୁ ସୁରକ୍ଷା ଦେବୁ । ଆମେ ଲଢ଼ିବୁ । ଜେଲେନ୍‌ସ୍କି ଦମ୍ଭ ଦେଖାଇଥିବା ବେଳେ ଡୋନେତସ୍କରେ ଗୁଳିବର୍ଷା ଜାରି ରହିଛି ।

Related Posts