ଋଷ ଓ ୟୁକ୍ରେନ ଯୁଦ୍ଧ ମଝିରେ ପଡ଼ିଲା ହାତ ଗଣ୍ଠି: ମିଲିଟାରୀ ପୋଷାକ ପିନ୍ଧି ୨ ସାହାସୀ ୟୁକ୍ରେନ ସୈନ୍ୟ କଲେ ବିବାହ

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଦ୍ଧ । ତେବେ ଯୁଦ୍ଧ ମଝିରେ ସାମ୍ନାକୁ ଆସୁଥିବା କିଛି କିଛି ଦୃଶ୍ୟ ହୃଦୟ ବିଦାରକ ରହିଛି। ତେବେ ଚାଲିଥିବା ଏହି ଯୁଦ୍ଧରେ ଜୀବନ ବଞ୍ଚିବ କି ନାହିଁ ! ଦେଶକୁ ବଞ୍ଚାଇବା ପାଇଁ ଚାଲିଥିବା ସଂଗ୍ରାମରେ କେଉଁ ମୁହୂର୍ତ୍ତରେ ମଧ୍ୟ ଲିଭି ଯାଇପାରେ ଜୀବନ ଦୀପ । ତଥାପି ଦେଶ ପାଇଁ ବଳିଦାନ ଦେବା ପାଇଁ ଆଗେଇ ଆସିଛନ୍ତି ଅନେକ ଯୋଦ୍ଧା । ପ୍ରତିକୂଳ ପରିସ୍ଥିତିରେ ସାଉଣ୍ଟିଛନ୍ତି ପୁଳା ପୁଳା ସମ୍ଭାବନାର ସମୟ । କାରଣ ଦିନେ ନା ଦିନେ ଏହି ଖରାପ ସମୟ ମଧ୍ୟ ବିତିଯିବ । ଏଭଳି ଆଶା ନେଇ ରଣାଙ୍ଗନରେ ମିଲିଟାରୀ ପୋଷାକ ପିନ୍ଧି ୨ ସାହାସୀ ସୈନ୍ୟ ପରସ୍ପରକୁ କରିଛନ୍ତି ଜୀବନର ସାଥୀ । ଆଉ କହିଛନ୍ତି ‘I Do’ । ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଯୁଦ୍ଧ ସ୍ଥଳରୁ ଆସିଛି ଏଭଳି ସକରାତ୍ମକ ଦୃଶ୍ୟ । ନିଜ ସୈନ୍ୟଙ୍କ ମଧ୍ୟରେ ଏଭଳି ମନୋଭାବ ଦେଖିବା ପରେ ସାହାସ ଜୁଟାଇ ଦୃଢ ହୋଇଛନ୍ତି ୟୁକ୍ରେନବାସୀ ।

ରବିବାର ଏକ ୟୁକ୍ରେନିଆନ କପଲ୍‌ କିଭରେ ବିବାହ କରିଛନ୍ତି । ଯୁଦ୍ଧ ପାଇଁ ସେମାନେ ମିଲିଟାରୀ ପୋଷାକ ପିନ୍ଧି କର୍ମସ୍ଥଳରେ ଥିବା ବେଳେ ପରସ୍ପରକୁ ବିବାହ କରିଛନ୍ତି । ଏହି କପଲ ହେଉଛନ୍ତି ଲେସ୍ୟା ଓ ଭାଲେରୀ( Lesya ଓ Valeriy) । ଲେସ୍ୟା ହାତରେ ଏକ ବୁକେ ଧରି ଭାଲେରୀଙ୍କ ନିକଟରେ ପହଞ୍ଚିଛନ୍ତି । ଆଉ ମିଲିଟାରୀ ପୋଷାକରେ ବିବାହ କରି ସାମ୍ପେନ ଠିପି ଖୋଲି ନିଜର ସ୍ବତନ୍ତ୍ର ମୁହୂର୍ତ୍ତକୁ କରିଛନ୍ତି ସେଲିବ୍ରେଟ । ଯାହାକି ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁଦ୍ଧ କ୍ଷେତ୍ରରେ ଥାଇ ମଧ୍ୟ ଆବେଗ ଏବଂ ପ୍ରେମର ମିଳନକୁ ସାକାର କରି ଏକ ସକରାତ୍ମକ ସନ୍ଦେଶ ଦେଇଛନ୍ତି । ଆଉ ସେମାନେ ନେଇଥିବା ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ବିବାହ ସମୟରେ ଲେସ୍ୟା ନିଜ ଅନ୍ୟ ସୈନ୍ୟ ବନ୍ଧୁଙ୍କ ସହିତ ଆସିଥିଲେ । ବନ୍ଧୁମାନେ ଏହି ମୁହୂର୍ତ୍ତକୁ ଆହୁରି ରୋମାଞ୍ଚପୂର୍ଣ୍ଣ କରିବା ପାଇଁ ଗୀତ ବୋଲିବା ସହିତ ଭାଓଲିନ ବଜାଇଥିଲେ ।

Related Posts