ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ | ରୁଷ ସେନାଙ୍କ ଲଗାତାର ଆକ୍ରମଣ ରେ ୟୁକ୍ରେନ ଛିନଛତ୍ର ହେବାକୁ ବସିଲାଣି | ତଥାପି ୟୁକ୍ରେନ ସେନା ରୁଷ ସେନାଙ୍କୁ କଡା ଟକ୍କର ଦେବାରେ ଲାଗିଛନ୍ତି | ଫଳରେ ଉଭୟଙ୍କ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପୂର୍ବ ପରି ଜାରି ରହିଛି | ଏପଟେ ଯୁଦ୍ଧରେ ବିରାମ ଲଗାଇବାକୁ ବେଲାରୁଷ ଓ ପୋଲାଣ୍ଡ ସୀମାରେ ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ୟୁକ୍ରେନ ଆଗରେ ୪ଟି ସର୍ତ୍ତ ଉପସ୍ଥାପନ କରିଛି ରୁଷ | ଯଦି ୟୁକ୍ରେନ ଏହି ସର୍ତ୍ତକୁ ମାନିନେବ, ତା’ହେଲେ ଗୋଟିଏ ସେକେଣ୍ଡରେ ରୁଷ ହମଲା ବନ୍ଦ କରିଦେବ ବୋଲି କହିଛି।
ରୁଷ ପକ୍ଷରୁ କୁହାଯାଇଛି ଯେ ଆମେ ୟୁକ୍ରେନରେ ସାମାରିକ ଦମନ ଲୀଳା ବନ୍ଦ କରିବାକୁ ଚାହୁଁଛୁ। ଆମେ ମଧ୍ୟ ଏହାକୁ ଶେଷ କରିବ। କିନ୍ତୁ ଆମ କାମରେ ୟୁକ୍ରେନ ବାଧା ଉପୁଜାଉଛି। ୟୁକ୍ରେନ ଆମ ବିରୋଧରେ ଅସ୍ତ୍ର ବ୍ୟବହାର କରୁଛି। ସେମାନେ ପ୍ରଥମେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରନ୍ତୁ। ଏହାପରେ କେହି ବି ଗୋଟିଏ ହେଲେ ବି ଗୁଳି ଫୁଟାଇବେ ନାହିଁ।
ରୁଷର ଦ୍ୱିତୀୟ ସର୍ତ୍ତ ହେଉଛି ୟୁକ୍ରେନ ସବୁବେଳେ ନିରପେକ୍ଷ ଓ ସ୍ୱତନ୍ତ୍ର ହୋଇ ରହୁ। ୟୁକ୍ରେନ ସରକାର ସମ୍ବିଧାନରେ ସଂଶୋଧନ କରି କୌଣସି ଅନ୍ତର୍ଜାତୀୟ ସମୂହରେ କିଭ୍ ସାମିଲ ହେବ ନାହିଁ ବୋଲି ବ୍ୟବସ୍ଥା କରନ୍ତୁ।
ତୃତୀୟ ସର୍ତ୍ତରେ ରୁଷ କହିଛି ଯେ କ୍ରିମେଆକୁ ୟୁକ୍ରେନ ପକ୍ଷରୁ ରୁଷର ଅଞ୍ଚଳ ଭାବେ ମାନ୍ୟତା ଦିଆଯାଉ। ୨୦୧୪ରେ ରୁଷ ଏହାକୁ ୟୁକ୍ରେନ ଠାରୁ ଛଡ଼ାଇ ନେଇଥିଲା।
୪ର୍ଥ ସର୍ତ୍ତ ଭାବେ ରୁଷ ଡୋନବାସ ଅଞ୍ଚଳରେ ଥିବା ଲୁହାଂସ୍କ ଓ ଡୋନେସ୍କକୁ ୟୁକ୍ରେନ ସ୍ୱତନ୍ତ୍ର ଅଞ୍ଚଳ ଭାବେ ବିବେଚନା କରୁ ବୋଲି କହିଛି। ଯୁଦ୍ଧ ପୂର୍ବରୁ ଏହି ଦୁଇ ଅଞ୍ଚଳରୁ ରୁଷ ସ୍ୱତନ୍ତ୍ର ଦେଶ ଭାବେ ମାନ୍ୟତା ଦେଇଛି। ଏହି ଅଞ୍ଚଳରେ ଅଧିକାଂଶ ରୁଷ ସପକ୍ଷବାଦୀ ରୁହନ୍ତି। ଏମାନଙ୍କ ସହ ୟୁକ୍ରେନ ସେନାର ସବୁବେଳେ ଲଢ଼େଇ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରୁଷ ପକ୍ଷରୁ ଏଭଳି ସର୍ତ୍ତ ରଖାଯାଇଛି।
