ରୁଷର ଆକ୍ରମଣରେ ଧ୍ୱଂସ ହେଲା ୟୁକ୍ରେନ ନିର୍ମିତ ବିଶ୍ୱର ସବୁଠାରୁ ବଡ଼ ବିମାନ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଋୁଷର ଆକ୍ରମଣରେ ଧ୍ୱଂସ ହେଲା ୟୁକ୍ରେନ ନିର୍ମିତ ବିଶ୍ୱର ସବୁଠାରୁ ବଡ଼ ବିମାନ ଏଏନ ୨୨୫ ମ୍ରିୟା । ଏହି ଉଡାଜାହାଜର ଲମ୍ବ ୮୪ ମିଟର ବା ୨୭୬ ଫୁଟ୍ । ୨୫୦ ମେଟ୍ରିକ୍ ଟନ୍ ସାମଗ୍ରୀ ଧାରଣ କରିବାର କ୍ଷମତା ବି ଥିଲା । ଘଣ୍ଟାକୁ ୮୫୦ କିମି ବେଗରେ ଉଡ଼ିପାରୁଥିଲା । କିନ୍ତୁ ସେ ଆଉ ଉଡିବନି। ଋଷର ବୋମା ମାଡରେ ହୋଇଯାଇଛି ନଷ୍ଟ । ଋଷ ସେନାର ଘନ ଘନ ଆକ୍ରମଣରେ ଚୁରମାର୍ ହୋଇଯାଇଛି ୟୁକ୍ରେନର ସ୍ୱପ୍ନ। ଋଷ ସେନା ଦୁନିଆର ସଙ୍କଟମୋଚକକୁ ନଷ୍ଟ କରିଛି । ଦୁନିଆର ସବୁଠାରୁ ବଡ଼ କାର୍ଗୋ ବିମାନ ଏନ-୨୨୫ ବିମାନକୁ ୧୯୮୦ ମସିହାରେ ୟୁକ୍ରେନର ଝଝଜରେ ଡିଜାଇନ କରାଯାଇଥିଲା। ସେହି ସମୟରେ ଆମେରିକା ଏବଂ ଋଷ ମଧ୍ୟରେ ବିବାଦ ଚରମରେ ଥିଲେ। ଏଏନ ୨୨୫ର ବୁରାନ ସ୍ପେସ ସଟଲକୁ ନେବା ପାଇଁ କରାଯାଇଥିଲା। ୧୯୯୧ ସୋଭିଏତ ସଂଘର ପତନ ପରେ ବୁରାନ କାର୍ୟ୍ୟକ୍ରମକୁ ରଦ୍ଦ କରାଯାଇଥିଲା। ପରେ ବିମାନରେ ଭାରି ସାମଗ୍ରୀ ପରିବହନ କରାଗଲା। ୧୯୮୮ରେ ପ୍ରଥମ ଥର ଉଡାଣ ଭରିଥିଲା ମ୍ରିୟା। କରୋନା କାଳରେ ମେଡିକାଲ ଉପକରଣ ପରିବହନ କରିଥିଲା ମ୍ରିୟା।

ଦୁନିଆରେ କେବଳ ଗୋଟିଏ ହିଁ ଏଏନ ୨୨୫ ବିମାନ। ଏହାକୁ କିଭ କମ୍ପାନୀ ଆଣ୍ଟୋନୋଭ ନିର୍ମାଣ କରିଥିଲା। ସବୁଠାରୁ ବଡ଼ ବିମାନ ଯୋଗୁଁ ମ୍ରିୟା ବେଶ ଲୋକପ୍ରିୟ ଥିଲା। ମ୍ରିୟା ଧ୍ୱଂସ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବା। ଋଷିଆ ଆମ ମ୍ରିୟାକୁ ଛଡେଇ ନେଲା । କିନ୍ତୁ ସେମାନେ ଆମ ସ୍ୱପ୍ନ ଭାଙ୍ଗି ପାରିବେ ନାହିଁ । ୟୁକ୍ରେନ ଏକ ମୁକ୍ତ ଓ ସ୍ୱାଧିନ ଦେଶ । ୟୁକ୍ରେନ ପୁଟିନଙ୍କ ଆକ୍ରମଣର ଜବାବ ଦେବ ବୋଲି କହିଛନ୍ତି କୁଲେବା। ଅନ୍ୟପଟେ ୟୁକ୍ରେନ କମ୍ପାନୀ ୟୁକ୍ରୋବୋରୋନପ୍ରୋମ ଘୋଷଣା କରିଛି ଋଷ ଟଙ୍କାରେ ହିଁ ବିମାନର ମରାମତି କରିବ। ଏଥିପାଇଁ ପାଞ୍ଚ ବର୍ଷର ସମୟ ଲାଗିବ। ପ୍ରାୟ ତିନି ବିଲିୟନ ଡଲାର ଖର୍ଚ୍ଚ ହେବ।ପାଞ୍ଚ ଦିନ ଧରି ଲାଗିଛି ଘମାଘୋଟ ଯୁଦ୍ଧ। ଗୁଳି, ବୋମାର ଶବ୍ଦ ଥମୁନି। ଛାରଖାର ହୋଇଯାଇଛି ୟୁକ୍ରେନ। ଖାଲି ସୈନ୍ୟ କିମ୍ବା ନାଗରିକ ମୃତାହତ ହୋଇନାହାନ୍ତି। ଘର, ବଙ୍ଗଳା, ଆପାର୍ଟମେଣ୍ଟ, ବିମାନ ବନ୍ଦର, ସବୁ ହୋଇଛି ଧୂଳିସାତ। ଧ୍ୱଂସ ଓ ମୃତ୍ୟୁର ବୀଭିଷିକା।

Related Posts