
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଅପରେସନ ଗଙ୍ଗା ଆରମ୍ଭ ହୋଇଛି । ଏହି ଅବରେସନ ଜରିଆରେ ଆଜି ୨୪୦ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ଷଷ୍ଠ ବିମାନ ଦିଲ୍ଲୀରେ ପହଞ୍ଚିଛି। ଏହି ବିମାନଟି ବୁଦାପେଷ୍ଟରୁ ଉଡ଼ାଣ କରି ଦିଲ୍ଲୀରେ ପହଞ୍ଚିଥିବା ଜଣାପଡ଼ିଛି। ଗତକାଲି ଏହି ଅପରେସନରେ ସାମିଲ ହୋଇଥିଲା ଇଣ୍ଡିଗୋ। ଦିଲ୍ଲୀ-ଇସ୍ତାନବୁଲ-ବୁଦାପେଷ୍ଟ ରୁଟରେ ଇଣ୍ଡିଗୋ ବିମାନ ଉଡ଼ିବା ସହ ସୁରକ୍ଷିତ ଭାବେ ଭାରତୀୟଙ୍କୁ ସ୍ବଦେଶ ଆଣିବ ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଥିଲା। ଏହା ସହ ‘ଅପରେସନ୍ ଗଙ୍ଗା’ରେ ସାମିଲ ହେବା ପରେ ପ୍ରଥମ ଇଣ୍ଡିଗୋ ବିମାନ ଇସ୍ତାନବୁଲ ଅଭିମୁଖେ ଯାତ୍ରା କରିସାରିଥିବା କୁହାଯାଇଥିଲା। ସ୍ଥିତିରେ ଟିକେ ସୁଧାର ଆସିଥିବାରୁ ଏବେ ଭାରତୀୟଙ୍କୁ ତୁରନ୍ତ ଆଣିବାର ଯୋଜନା କରୁଛନ୍ତି ଭାରତ ସରକାର।
ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ୧୯୮ ଜଣ ଭାରତୀୟଙ୍କୁ ନେଇ ଚତୁର୍ଥ ସ୍ଥାନାନ୍ତର ବିମାନ ଗତକାଲି ଅପରାହ୍ଣରେ ଭାରତ ଅଭିମୁଖେ ଯାତ୍ରା କରିଥିଲା । ଏହା ସହ ବୁଖାରେଷ୍ଟରୁ ୨୧୯ ଜଣ ଭାରତୀୟଙ୍କୁ ନେଇ ଆସିଥିବା ପ୍ରଥମ ସ୍ଥାନାନ୍ତର ବିମାନ ଶନିବାର ସନ୍ଧ୍ୟାରେ ମୁମ୍ବାଇରେ ଅବତରଣ କରିଥିଲା। ଏହାପରେ ରବିବାର ସକାଳେ ୨୫୦ ଭାରତୀୟ ନାଗରିକଙ୍କ ସହ ଦ୍ୱିତୀୟ ବିମାନ ଦିଲ୍ଲୀରେ ପହଞ୍ଚିଥିଲା। ପ୍ରାୟ ୨୪୦ ଭାରତୀୟଙ୍କ ସହ ଏୟାର ଇଣ୍ଡିଆର ତୃତୀୟ ବିମାନ ମଧ୍ୟ ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରି ଦିଲ୍ଲୀରେ ପହଞ୍ଚିଥିଲା।