ଜାତିସଂଘ ମୁଖ୍ୟଙ୍କ କିଭ୍ ଗସ୍ତ ସମୟରେ ଋଷିଆର ମିସାଇଲ ମାଡ: ଜାତିସଂଘକୁ ଅପମାନିତ କରିବା ରୁଷର ଲକ୍ଷ୍ୟ: ଜେଲେନସ୍କି

କିଭ୍: ୟୁକ୍ରେନ-ଋଷିଆ ମଧ୍ୟରେ ଚାଲିଛି ଯୁଦ୍ଧ | ଗତ ଫେବୃଆରୀ ୨୪ ରୁ ଆରମ୍ଭ ହୋଇଥିବା ଯୁଦ୍ଧ ଜାରି ରହିଛି | ଏହାରି ମଧ୍ୟରେ ଯୁଦ୍ଧ ଦୀର୍ଘ ଦୁଇମାସ ବିତିଗଲାଣି ତଥାପି ଯୁଦ୍ଧ ଥମିବାର ନା ନେଉନି | ଅନେକ ଦେଶର ଅନେକ ପ୍ରଚେଷ୍ଟା ପରେ ବି ଯୁଦ୍ଧ ଜାରି ରହିଛି | ଏହାରି ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଏହାରି ଭିତରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଉଭୟ ରାଷ୍ଟ୍ରର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ଗତକାଲି(ଗୁରୁବାର) ଗୁଟେରସ କିଭ୍ ଗସ୍ତ କରି ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ଋଷିଆ ରାଜଧାନୀ କିଭ୍ ଉପରେ ବଡ ଆକ୍ରମଣ କରିଥିଲା ।

ଯାହାକୁ ତୀବ୍ର ନିନ୍ଦା କରିଛନ୍ତି ଜେଲେନସ୍କି । ଜାତିସଂଘ ମୁଖ୍ୟ ୟୁକ୍ରେନ ଆସିଥିବା ସମୟରେ ଋଷିଆ ସେହିଦିନ କିଭ୍‌ରେ ଆକ୍ରମଣ କରିବାର ଉଦ୍ଦେଶ୍ୟ ଜାତିସଂଘକୁ ଅପମାନିତ କରିବା ବୋଲି ଜେଲେନସ୍କି କହିଛନ୍ତି ।

ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି, କିଭ୍‌ରେ ଜାତିସଂଘ ମୁଖ୍ୟଙ୍କ ସହ ବୈଠକ ସରିବା ମାତ୍ରେ ସହରରେ ଆକ୍ରମଣ ହୋଇଥିଲା । ଋଷିଆ ମିସାଇଲ ଏବଂ ରକେଟ୍ ମାଡ କରିଥିଲା । ଏଭଳି ଆକ୍ରମଣ କରି ଜାତିସଂଘ ଏବଂ ଏହାଦ୍ବାରା ଉପସ୍ଥାପିତ ହେଉଥିବା ପ୍ରତିଟି ପ୍ରସଙ୍ଗକୁ ଅପମାନିତ କରିବାକୁ ଋଷିଆ ପ୍ରୟାସ କରିଥିଲା । ମାରିଓପୋଲରେ ମସ୍କୋ ଅସ୍ତ୍ରବିରତି ଘୋଷଣା କରିଥିବାର ଦାବି କରିଛି । ହେଲେ ସହରରେ ଏବେ ବି ଋଷୀୟ ସେନାଙ୍କ ବୋମାବର୍ଷଣ ଜାରି ରହିଛି । ଏପରିକି ପୁଟିନଙ୍କ ସହ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସଙ୍କ ଆଲୋଚନା ସମୟରେ ମଧ୍ୟ ସେ ମାରିଓପୋଲରେ ଗୁଳିଗୋଳା ମାଡ ଜାରି ରଖିଥିଲା । ସମଗ୍ର ବିଶ୍ବ ଆଗରେ ଋଷୀୟ ସେନାର ଏହି କାର୍ଯ୍ୟ ଯୁଦ୍ଧ ଅପରାଧ ଅଟେ ବୋଲି ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗୁରୁବାର UN ମୁଖ୍ୟ ଏବଂ ବୁଲଗେରିଆ ପ୍ରଧାନମନ୍ତ୍ରୀ ଜେଲେନସ୍କିଙ୍କ ସହ ସାକ୍ଷାତ କରିଥିଲେ । ଏହି ସମୟରେ ଋଷିଆ କିଭ୍‌କୁ ଟାର୍ଗେଟ କରିଥିଲା । ସେ ସହରରେ ମିସାଇଲ ମାଡ କରିଥିଲା । ଋଷିଆର ଏଭଳି ଜଘନ୍ୟ କାଣ୍ଡ ୟୁକ୍ରେନ, ୟୁରୋପ ଏବଂ ସମଗ୍ର ବିଶ୍ବ ପ୍ରତି ତାହାର ମନୋଭାବକୁ ଦର୍ଶାଉଛି ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଟ୍ବିଟ୍ କରିଥିଲେ ।

Related Posts