ୟୁକ୍ରେନ ରାଷ୍ଟ୍ରପତିଙ୍କ ସାହସିକତା ପାଇଁ ଏବେ ଚାରିଆଡେ ତାଙ୍କର ହିଁ ପ୍ରଶଂସା । ରୁଷର ନାଲି ଆଖିକୁ ଖାତିର ନ କରି ଋଷ ସେନା କୁ ନିଜ ମାଟିରେ କଡ଼ା ଜବାବ ଦେବାରେ ଲାଗିଛନ୍ତି । ସେପଟେ ୟୁରୋପୀୟ ୟୁନିୟନର ସଦସ୍ୟ ହେବାକୁ କରିଥିବା ଆବେଦନକୁ ବି ମିଳିଯାଇଛି ମଞ୍ଜୁରି । ୟୁରୋପୀୟ ୟୁନିୟନରେ ସାମିଲ ହେବାକୁ ସୋମବାର ରାଷ୍ଟ୍ରପତି ଜେଲେନସ୍କି କରିଥିବା ଆବେଦନକୁ ଆଜି ୟୁରୋପୀୟ ସଂସଦ ଗ୍ରହଣ କରି ନେଇଛି। ଏବେ ଏହାକୁ ବିଧିବଦ୍ଧ ମଞ୍ଜୁରୀ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ସଂସଦରେ ଅନୁଷ୍ଠିତ ହେବାକୁ ଥିବା ଭୋଟ ପରେ ୟୁକ୍ରେନ ୟୁରୋପୀୟ ୟୁନିୟନରେ ସାମିଲ ହୋଇଯିବ। ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ଭାବେ ବିବେଚନା କରାଯିବ। କାରଣ ୟୁକ୍ରେନ ନାଟୋ କିମ୍ବା ୟୁରୋପୀୟ ୟୁନିୟନରେ ସାମିଲ ନ ହେବା ଦରକାର ବୋଲି ରୁଷ ଚେତାବନୀ ଦେଇଥିଲା। ହେଲେ ଏହାକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଯୁଦ୍ଧ ସତ୍ତ୍ୱେ ଖାତିର କରି ନଥିଲେ। ସୋମବାର ସେ ୟୁରୋପୀୟ ୟୁନିୟନରେ ସାମିଲ ହେବାକୁ ଆବଶ୍ୟକ ଦସ୍ତାବିଜ ଉପରେ ଦସ୍ତଖତ କରିଥିଲେ। ଆଜି ୟୁରୋପୀୟ ସଂସଦ ଏହି ପ୍ରସ୍ତାବକୁ ଗ୍ରହଣ କରି ନେଇଛି।

ୟୁରୋପୀୟ ସଂସଦକୁ ମଧ୍ୟ ଆଜି ଜେଲେନସ୍କି ସମ୍ବୋଧନ କରିଥିଲେ। ଏହି ସମୟରେ ସମସ୍ତେ ଛିଡ଼ା ହୋଇ ତାଙ୍କ ସାହାସକୁ ପ୍ରଶଂସା କରିଥିଲେ। ସେ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ୟୁକ୍ରେନ ସହ ୟୁରୋପୀୟ ୟୁନିୟନ ରହିଛି ବୋଲି ପ୍ରମାଣ କରିବାକୁ ଦାବି କରିଥିଲେ।

ସେପଟେ ଋଷ ରାଗରେ ଜଳୁ ଥିବା ବେଳେ, ଲଗାତାର ଭାବେ ଆକ୍ରମଣ କରି ଚାଲିଛି । ଏପରିକି ସବୁଠାରୁ ମାରାତ୍ମକ ବୋମା ପକାଇବାକୁ ବି ପଛେଇ ନାହିଁ ଋଷ । ଆଜି ସକାଳୁ ସକାଳୁ ଋଷ ଏହି ଆକ୍ରମଣ ଜାରି ରଖିଛି ।