ୟୁକ୍ରେନରେ ମୃତ୍ୟୁର ତାଣ୍ଡବ ରଚୁଚି ଋଷ: ଆସନ୍ତାକାଲି ପୁଣି ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ହେବ ଆଲୋଚନା

ଋଷ ର ଘମାଘୋଟ ଆକ୍ରମଣ ରେ ବେହାଲ ହୋଇପଡିଛି ୟୁକ୍ରେନ । କିନ୍ତୁ ଋଷ ସେନା କୁ କଡ଼ା ଜବାବ ଦେବାରେ ଲାଗିଛି । ତେବେ ଉଭୟ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧ ଆଜିକୁ ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ, ଋଷ ଆହୁରି ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରୁଛି । ଅନ୍ୟପଟେ ଶାନ୍ତି ଆଲୋଚନା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ସୋମବାର ଉଭୟ ଦେଶ ମଧ୍ୟରେ ପ୍ରଥମଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ତେବେ ଆସନ୍ତାକାଲି ପୁଣି ଦୁଇ ଦେଶ ମଧ୍ୟରେ ବେଲାରୁଷ ସୀମାନ୍ତ ଗୋମେଲ ସହରରେ ବୈଠକ ବସିବ। ଗତକାଲି ଏହି ସ୍ଥାନରେ ଉଭୟ ଦେଶର ପ୍ରତିନିଧିମାନେ ପ୍ରାୟ ୫ ଘଣ୍ଟା ଧରି ଆଲୋଚନା କରିଥିଲେ। କିନ୍ତୁ କୌଣସି ପ୍ରକାରର ସୁଫଳ ମିଳି ନଥିଲା। ଏବେ କେତେକ ପରିବର୍ତ୍ତନରେ ଉଭୟ ଦେଶ ରାଜି ହୋଇଛନ୍ତି। ତେଣୁ ଆସନ୍ତାକାଲି ପୁଣି ବୈଠକ ବସିବ ବୋଲି ନିଷ୍ପତ୍ତି ହୋଇଛି।

ଅନ୍ୟପଟେ , କିଭ୍‌ରେ ରୁଷ ଆଜି ସବୁଠାରୁ ବଡ଼ ହମଲା କରିବାର ମଧ୍ୟ ଆଶଙ୍କା ରହିଛି। ଏଥିପାଇଁ ଭାରତୀୟ ଦୂତାବାସ ପକ୍ଷରୁ ନିଜ ଦେଶର ନାଗରିକଙ୍କୁ କିଭ୍‌ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରୁଷ ସୈନ୍ୟ ଗୋଟିଏ ସମୟରେ ହିଁ କିଭ୍ ଓ ଖାର୍‌କିଭରେ ହମଲା କରୁଛନ୍ତି। ଆଜି ଖାରକିଭରେ ଥିବା ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଓ ଆବାସିକ ଅଞ୍ଚଳରେ ରୁଷ ସୈନ୍ୟମାନେ ଘନଘନ ମିସାଇଲ ମାଡ଼ କରିଛନ୍ତି। ଫଳରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Related Posts