ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୀର ସାବରକରଙ୍କୁ କଂଗ୍ରେସ ସବୁବେଳେ ଟାର୍ଗେଟ କରି ଆସିଛି । ଏହାକୁ ନେଇ ଅନେକ ବାଦ ବିବାଦ ମଧ୍ୟ ରହିଛି। ତେବେ ଚଳିତ ଭାରତ ଯୋଡ ଯାତ୍ରା ସମୟରେ ମହାରାଷ୍ଟ୍ରରେ ରାହୁଲ ଗାନ୍ଧୀ ସାବରକରଙ୍କୁ ନେଇ ଅଧିକ ଆକ୍ରମଣତ୍ମକ ହୋଇଥିଲେ। ସାବରକର ଇଂରେଜ ମାନଙ୍କୁ ସାହାଯ୍ୟ କରୁଥିଲେ। ଏପରିକି ତାଙ୍କ ଠାରୁ ପେନସନ ନେଉଥିଲେ ଓ ଜେଲ ରେ ଥିବା ସମୟରେ ଚିଠି ଲେଖି ଇଂରେଜ ସରକାରଙ୍କୁ କ୍ଷମା ମାଗିଥିଲେ ବୋଲି ରାହୁଲ କହିଥିଲେ। ତେବେ ସାବରକରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ବୟାନ ପରେ ଏବେ ଆକ୍ସନ ମୋଡକୁ ଆସିଛି ହିନ୍ଦୁ ମହାସଭା । ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ପ୍ରଧାନମନ୍ତ୍ରୀଙ୍କୁ ଏନେଇ ଏକ ଚିଠି ଲେଖିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କୁ ରାହୁଲ ଗାନ୍ଧୀ ଯେଭଳି ଭାବେ ଅପମାନିତ କଲେ ଏହି କାରଣରୁ ତାଙ୍କର ସାମାଜିକ ଓ ରାଜନୈତିକ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯିବା ଆବଶ୍ୟକ ।
ଗତ ନଭେମ୍ବର ୧୯ ତାରିଖରେ ଚକ୍ରପାଣି ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ସେ କହିଛନ୍ତି ଯେ, ହିନ୍ଦୁ ମହାସଭା ନିଷ୍ପତ୍ତି କରିଛି କି ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟ ସାମ୍ନାରେ ବୀର ସାବରକରଙ୍କ ପ୍ରତିମୂର୍ତ୍ତୀ ସ୍ଥାପନା କରାଯିବ । ଏହାସହ ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ପାର୍ଟିର ସ୍ଥାପନା କରିଥିବା ଇଂରେଜ ଏଲନ ଅକ୍ଟିବିୟନ ହ୍ୟୁମ ଓ ତାଙ୍କର ନେତା ରାହୁଲ ଗାନ୍ଧୀ ବାରମ୍ବାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅପମାନିତ କରୁଛନ୍ତି ।
ଏହାସହ ସ୍ୱାମୀ ଚକ୍ରପାଣି ଲେଖିଛନ୍ତି ଯେ, ରାହୁଲ ଗାନ୍ଧୀ ଜଣେ ମାନସିକ ରୋଗୀ ତେଣୁ ତାଙ୍କୁ ଆଗ୍ରାସ୍ଥିତ ହସ୍ପିଟାଲରେ ଚିକିତ୍ସିତ କରାଯାଉ । ରାହୁଲ ଗାନ୍ଧୀ ଇଂରେଜଙ୍କ ଇଶାରାରେ ସାବରକରଙ୍କୁ ଅପମାନିତ କରୁଥିବାରୁ ତାଙ୍କୁ ଦଣ୍ଡ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି । ଚିଠିରେ ଉଲ୍ଲେଖ ରହିଛି ଯେ, ଆସନ୍ତା ଫେବୃଆରୀ ୨୬ ତାରିଖରେ ବୀର ସାବରକରଙ୍କ ପୂର୍ଣ୍ଣ୍ୟତିଥି ଅବସରରେ ହିନ୍ଦୁ ମହାସଭା ତରଫରୁ ଦିଲ୍ଲୀର ୨୪ ଆକବର ରୋଡ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ସାମ୍ନାରେ ବୀର ସାବରକରଙ୍କର ଏକ ପ୍ରତିମା ସ୍ଥାପନ କରାଯିବ ।





