ଅନୁକମ୍ପା ପାଇଁ ସାହାରା ସାବିତ୍ରୀ… ପ୍ରତ୍ୟୁଷା ଓ ରୀତା ବି ଦେଇଥିଲେ ସଫଳତା

ସତ୍ୟପାଠ ବ୍ୟୁରୋ : ସାବିତ୍ରୀ ଅମାବାସ୍ୟାର ୧୫ଦିନ ପୂର୍ବରୁ ମଇଦାନରେ ଆଉ ଜଣେ ସାବିତ୍ରୀ । ସେ ସାବିତ୍ରୀ ସିନା ଯମରାଜଙ୍କ ସହ ଲଢ଼େଇ କରି ମରଣ ମୁହଁରୁ ସ୍ୱାମୀଙ୍କୁ ଛଡାଇ ଆଣିଥିଲେ, ଏ ସାବିତ୍ରୀ କିନ୍ତୁ ପରଲୋକଗତ ସ୍ୱାମୀଙ୍କ ସମ୍ମାନ ପାଇଁ ନିର୍ବାଚନ ଲଢ଼ୁଛନ୍ତି । ଆମେ କହୁଛୁ କେନ୍ଦ୍ରାପଡା ଲୋକସଭା ଆସନ ଅଧିନ ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀନି ସାବିତ୍ରୀ ଅଗ୍ରୱାଲଙ୍କ କଥା । ବିଜେଡିରୁ ପ୍ରାର୍ଥୀ ହୋଇଥିବା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ବେଦୁଙ୍କ ପତ୍ନୀଙ୍କୁ ସାବିତ୍ରୀଙ୍କୁ ଦଳ ଟିକଟ ଦେଇଛି । ଆଗାମୀ ମେ ୧୯ ତାରିଖରେ ଏଠାରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେଡି ନିଶ୍ଚୟ ବିଜୟୀ ହେବ ବୋଲି ସାବିତ୍ରୀ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି ।

ଜୁନ ୪ରେ ସାବିତ୍ରୀ ଅମାବାସ୍ୟା । ପତ୍ନୀଙ୍କ ଶୁଭ ମନାସୀ ଏହି ଓଷା ପାଳନ୍ତି ସଧବା ଓଡିଆ ମହିଳାମାନେ । ହେଲେ ଏହାର ଠିକ୍ ୧୫ ଦିନ ପୂର୍ବରୁ ମେ ୧୯ ତାରିଖରେ ହେବାକୁ ଯାଉଛି ପାଟକୁରା ଇଲେକ୍ସନ । ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଦେବୀ ଏଥର ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିର ଭେଟେରାନ ରାଜନେତା ବିଜୟ ମହାପାତ୍ର । ବେଦୁ ବାବୁ ଜୀବିତାବସ୍ଥାରେ ବିଜୟଙ୍କୁ ହରାଇଥିଲେ । ବେଦୁଙ୍କ ପାଇଁ ବିଜୟ ବିଧାନସଭାକୁ ଆସି ପାରି ନଥିଲେ । ଏଥର ବି ବିଜୟ ଯେମିତି ବିଧାୟକ ଭାବେ ଜିତି ପାରିବେ ନାହିଁ ସେଥିପାଇଁ ବିଜେଡି ବଢ଼ିଆ ଗେମ୍ ପ୍ଲାନ କରିଥିଲା । ରୋଗଶଯ୍ୟାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଦୁଙ୍କୁ ଦଳ ପୁଣି ଟିକଟ ଦେଇଥିଲା । ମାନେ ଗୋଟିଏ ଗୁଳିରେ ଦୁଇଟି ଶୀକାର । ଖାଣ୍ଟି ଓଡିଆରେ କୁହାଯାଇପାରେ ହାତୀ ଜିଇଁଲେ ଲକ୍ଷେ ମଲେ ବି ଲକ୍ଷେ । ଅର୍ଥାତ ଅନୁକମ୍ପା ଭୋଟରେ ବେଦୁ ଜିତିବା ସମ୍ଭବ ଆଉ ଯଦି ନିର୍ବାଚନ ପୂର୍ବରୁ ବେଦୁଙ୍କ ପରଲୋକ ହୁଏ ତେବେ ତାଙ୍କ ପତ୍ନୀଙ୍କୁ ଟିକଟ ଦେଇ ସାନି ନିର୍ବାଚନରେ ବିପୁଳ ଅନୁକମ୍ପା ଗୋଟାଇବାରେ ସକ୍ଷମ ହେବ ବିଜେଡି ।

ଅବଶ୍ୟ ଅନୁକମ୍ପା ପାଇଁ ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ଟିକଟ ଦେବା କିଛି ନୂଆ କଥା ନୁହେଁ କି ଅନୁକମ୍ପା ସାଉଁଟି ବିଜୟୀ ହେବା ବି କିଛି ନୂଆ ନୁହେଁ । ଓଡିଶା ରାଜନୀତିରେ ଏହାର ଯଥେଷ୍ଟ ଉଦାହରଣ ଥିବା ବେଳେ ଗତ ୪ ବର୍ଷ ଭିତରେ ବିଜେଡି ହିଁ ଏକୁଟିଆ ତିନିଟି ତାଜା ଉଦାହରଣ ତିଆରି କରିଛି । କନ୍ଧମାଳ ସାଂସଦ ଥିବା ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ମୃତ୍ୟୁ ପରେ ୨୦୧୪ ଉପନିର୍ବାଚନରେ ପତ୍ନୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ବିଜେଡି ଟିକଟ ଦେଲା । ସ୍ୱାମୀ ହେମେନ୍ଦ୍ର ୧ଲକ୍ଷ ୮୧ ହଜାର ଭୋଟରେ ଜିତିଥିଲେ କିନ୍ତୁ ଅନୁକମ୍ପା ଭୋଟର ମାତ୍ରା ଏତେ ବଢ଼ିଲା ଯେ ପତ୍ନୀ ପ୍ରତ୍ୟୁଷା ୨ଲକ୍ଷ ୯୮ ହଜାର ଭୋଟରେ ଜିତିଲେ । ଏହାପରେ ଆସିବା ବିଜେପୁରକୁ । ଏଠାରୁ ୨୦୦୯ରେ କଂଗ୍ରେସରୁ ସୁବଳ ସାହୁ ୮ହଜାର ୯ଶହ ଭୋଟରେ ଓ ୨୦୧୪ରେ ମାତ୍ର ୪୫୮ଖଣ୍ଡ ଭୋଟରେ ବିଜେଡିକୁ ହରାଇ ବିଧାୟକ ହୋଇଥିଲେ । କିନ୍ତୁ ସୁବଳଙ୍କ ମୃତ୍ୟୁପରେ ତାଙ୍କ ପରିବାର ବିଜେଡିରେ ମିଶିଲା ଓ ସ୍ୱର୍ଗତ ସୁବଳ ବାବୁଙ୍କ ପତ୍ନୀ ରୀତା ସାହୁ ବିଜେଡିରୁ ପ୍ରାର୍ଥୀ ହେଲେ । ଅନୁକମ୍ପାର ସୁନାମୀ ଏମିତି ଆସିଲା ଯେ, ସ୍ୱାମୀ ୫୬ହଜାରରୁ ଅଧିକ ଭୋଟ ପାଉ ନଥିଲେ କିନ୍ତୁ ପତ୍ନୀ ୧ଲକ୍ଷ ୨ହଜାର ଭୋଟ ପାଇଲେ । ବିଜେପୁରର ବିଗ ଫାଇଟରେ ୪୧ହଜାର ୯୩୩ ଭୋଟରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ହରାଇ ବିଧାନସଭାକୁ ଆସିଲେ ରୀତା ।

ଦୁଇ ଦୁଇ ଥର ଅନୁକମ୍ପା ଭୋଟରେ ବିରୋଧୀ ଶିବିରରେ କମ୍ପନ ସୃଷ୍ଟି କରି ପାରିଥିବା ବିଜେଡି କିନ୍ତୁ ଏଥର ସାବିତ୍ରୀଙ୍କୁ ନେଇ ସଫଳ ହେଉଛି ନା ବିରୋଧୀ ଦଳର ବିଜୟ ହେଉଛି ତାହା ଫଳାଫଳ ସ୍ପଷ୍ଟ କରିବ ।

Related Posts