ସତ୍ୟପ୍ରକାଶଙ୍କ ବଡ ଖୁଲାସା : ଫସିବେ ବାଲେଶ୍ୱର ଜିଲ୍ଲାପାଳ

ସତ୍ୟପାଠ ବ୍ୟୁରୋ : ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକଙ୍କ ବଡ ଖୁଲାସା । ବାଲେଶ୍ୱର ଜିଲ୍ଲାପାଳ ରମେଶ ରାଉତଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ନିର୍ବାଚନକୁ ଅବାଧ ମୁକ୍ତ ଓ ସ୍ୱଚ୍ଛ କରିବା ପରିବର୍ତ୍ତେ ବୁଥ୍ ରିଗିଂ ପାଇଁ ଜିଲ୍ଲାପାଳ ପରୋକ୍ଷ ସମର୍ଥନ ଦେଇଥିବା ଅଭିଯୋଗ ଆଣିଛନ୍ତି ସତ୍ୟପ୍ରକାଶ । ଯାହାକୁ ନେଇ ମତଦାନର ଠିକ୍ ଦିନକ ପରେ ପୁଣି ଉଷ୍ମ ହୋଇଛି ରାଜ୍ୟ ରାଜନୀତି ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ଜିଲ୍ଲାରେ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥର ତାଲିକା ପ୍ରସ୍ୁତ କରିବା ପରେ ଅତି କମ୍ରେ ୧୦ ପ୍ରତିଶତ ବୁଥ୍ରେ ସିସିଟିଭି ଲଗାଇବେ ଜିଲ୍ଲା ନିର୍ବାଚନ ଅଧିକାରୀ ବା ଜିଲ୍ଲାପାଳ । ଏହି ସିସିଟିଭି କ୍ୟାମେରାକୁ ନେଟୱର୍କିଙ୍ଗ୍ ଓ ୱେବକାଷ୍ଟିଙ୍ଗ କରାଯିବ । ଫଳରେ କଣ୍ଟ୍ରୋଲ ରୁମରେ ଥାଇ ଏହାକୁ ଅନୁଧ୍ୟାନ କରାଯାଇ ପାରିବ । ଅବାଧ ଓ ସ୍ୱଚ୍ଛ ନିର୍ବାଚନ ବେଳେ ଯଦି କେହି ସଂପୃକ୍ତ ବୁଥରେ ଜବରଦଖଲ କରେ ତେବେ ତୁନ୍ତ ତାହା ଜଣାପଡିବ ଓ ପ୍ରମାଣିତ ମଧ୍ୟ ହୋଇ ପାରିବ । ଏଥିପାଇଁ ବ୍ୟୟ ବରାଦ ହୋଇ ଅର୍ଥର ବ୍ୟବସ୍ଥା ମଧ୍ୟ କରାଯାଇଛି । ହେଲେ ଏହି ଗାଇଡଲାଇନକୁ ମୋଡି ମକଚି ଦଳି ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ ରମେଶ ରାଉତ । ଜିଲ୍ଲାର କୌଣସି ଗୋଟିଏ ବି ବୁଥରେ ସିସିଟିଭି ଲାଗି ନଥିବା ସତ୍ୟପ୍ରକାଶ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଯାହା ନିର୍ବାଚନ ପରିଚାଳନରେ ଜିଲ୍ଲାପାଳ ରମେଶ ରାଉତଙ୍କ ନିରପକ୍ଷେତା ଉପରେ ପ୍ରଶ୍ନ ଉଠାଉଛି ବୋଲି ସତ୍ୟପ୍ରକାଶ ଅଭିଯୋଗ କରିଛନ୍ତି ।

ସତ୍ୟଙ୍କ କହିବା କଥା, କଇଁଛକୁ ପିଠିପଟେ ବାଡେଇଲେ କଷ୍ଟ ହେବ ନାହିଁ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ କଇଁଛକୁ ଓଲଟାଇ ପିଟିଲେ ତାହାର ମୃତ୍ୟୁ ହେବ ବୋଲି ଏ ଜିଲ୍ଲାପାଳଙ୍କ କାମରୁ ଜଣାପଡି ଯାଇଛି । ମାନେ ସିସିଟିଭି ଲାଗି ନାହିଁ ଅର୍ଥ ସେହି ବୁଥରେ ରିଗିଂ ବା ଜବରଦଖଲ କରାଗଲେ ତାହାର ପ୍ରମାଣ ମିଳିବ ନାହିଁ । ତେଣୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରମେଶ ରାଉତ ଜାଣିଶୁଣି ଜିଲ୍ଲାର କୌଣସି ବି ବୁଥରେ ସିସିଟିଭି ଲଗାଇ ନାହାଁନ୍ତି ଏବଂ ଏହାର ଫଳ ସ୍ୱରୂପ ବିଭିନ୍ନ ବୁଥରେ ରିଗିଂ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି ।

ଏନେଇ ପିସିସି ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଧିବଦ୍ଧ ଭାବେ ଅଭିଯୋଗ କରାଯିବ ବୋଲି ସତ୍ୟପ୍ରକାଶ ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ ସଂପୃକ୍ତ ଜିଲ୍ଲାପାଳଙ୍କ ବିରୋଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବୀ କରିଛି ।

Related Posts