ପୁଣି ବଲିଉଡରୁ ଆସିଲା ଦୁଃଖଦ ଖବର: ଫିଲ୍ମ ‘ଗୋଲମାଲ’ର ଭେଟେରାନ୍‌ ଅଭିନେତ୍ରୀ ମଞ୍ଜୁ ସିଂହଙ୍କ ଦେହାନ୍ତ

ମୁମ୍ବାଇ: ୨୦୨୨ ବଲିଉଡ ପାଇଁ ଆଣିଦେଇଛି ଦୁଃଖ | ବର୍ଷ ଆରମ୍ଭରୁ ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ଦୁଖଦ ଖବର ସାମ୍ନା କୁ ଆସୁଛି | ଏହାରି ମଧ୍ୟରେ ଆଖି ବୁଜିଲେ ଆଉ ଜଣେ ଅଭିନେତ୍ରୀ। ଅଭିନେତା ଅମୋଲ ପାଲକେରଙ୍କ ଫିଲ୍ମ ‘ଗୋଲମାଲ’ର ଭେଟେରାନ୍‌ ଅଭିନେତ୍ରୀ ମଞ୍ଜୁ ସିଂହଙ୍କ ଦେହାନ୍ତ ହୋଇଛି।

ହୃଦ୍‌ଘାତ ଯୋଗୁଁ ଆଜି ସକାଳୁ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି। ଏନେଇ ସଙ୍ଗୀତକାର ସ୍ୱାନନ୍ଦ କିର୍‌କିରେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ମଞ୍ଜୁ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଭେଟେରାନ୍‌ ଅଭିନେତ୍ରୀ ସହ ଜଣେ ଫିଲ୍ମ ପ୍ରଡ୍ୟୁସର ମଧ୍ୟ ଥିଲେ। ସେ ଅନେକ ଫିଲ୍ମ ଏବଂ ଟେଲିଭିଜନରେ କାମ କରିଛନ୍ତି। ଏଥିପାଇଁ ତାଙ୍କୁ ଖୁବ୍‌ ପ୍ରଶଂସା ମଧ୍ୟ ମିଳିଛି। ସ୍ୱାନନ୍ଦ କିର୍‌କିରେ ମଞ୍ଜୁଙ୍କ ଏକ ଫଟୋ ଶେଆର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ‘ମଞ୍ଜୁ ସିଂହ ଆଉ ନାହାନ୍ତି। ମଞ୍ଜୁ ମ୍ୟାଡମ୍‌ ମୋତେ ଦିଲ୍ଲୀରୁ ମୁମ୍ବାଇ ଆଣିଥିଲେ। ଦୂରଦର୍ଶନରେ ଆସୁଥିବା ତାଙ୍କ ଶୋ’ ‘ସ୍ୱରାଜ’ରେ ଲେଖିବା ପାଇଁ ସେ ମୋତେ ଆଣିଥିଲେ। ଡିଡି ପାଇଁ ସେ ଅନେକ କାହାଣୀ ତିଆରି କରିଥିଲେ। ‘ଗୋଲମାଲ’ର ରତ୍ନାଙ୍କୁ କେବେବି ଭୁଲି ହେବ ନାହିଁ…।’

ଋଷିକେଶ ମୁଖାର୍ଜୀଙ୍କ ୧୯୮୦ରେ ପରଦାକୁ ଆସିଥିବା ଫିଲ୍ମ ‘ଗୋଲମାଲ’ ସୁପର ହିଟ୍‌ ହୋଇଥିଲେ। ଏଥିରେ ଅଭିନେତା ଅମୋଲ ପାଲକର ଓ ଉତ୍ପଲ ଦତ୍ତଙ୍କ ଜବରଦସ୍ତ କମେଡି ସମସ୍ତଙ୍କ ହୃଦୟ ଜିତି ନେଇଥିଲା। ଏହି ଫିଲ୍ମରେ ମଞ୍ଜୁ ସିଂହ ଅମୋଲ ପାଲକରଙ୍କ ସାନ ଭଉଣୀ ଚରିତ୍ରରେ ଅଭିନୟ କରିଥିଲେ। ତାଙ୍କ ଭୂମିକାକୁ ମଧ୍ୟ ସେତେବେଳେ ଲୋକେ ଖୁବ୍‌ ପସନ୍ଦ କରିଥିଲେ।

ଏହି ଫିଲ୍ମର ଗୀତ ଏବଂ ଡାଏଲଗ୍‌ ଗୁଲଜାର ଲେଖିଥିଲେ। ଏହି ଫିଲ୍ମର ଗୀତ ‘ ଆନେବାଲା ପଲ୍‌ ଜାନେବାଲା ହୈ’ ବେଶ୍‌ ପପୁଲାର ହୋଇଥିଲା। ଫିଲ୍ମରେ ବିନ୍ଦିଆ ଗୋସ୍ୱାମୀ, ଦେବେନ ବର୍ମା ଏବଂ ଦୀନା ପାଠକ ମୁଖ୍ୟ ଭୂମିକାରେ ଥିଲେ। ଏଥିରେ ଅମିତାଭ ବଚ୍ଚନଙ୍କ ମଧ୍ୟ କେମିଓ ରୋଲ ଥିଲା।

ସେପଟେ ତାଙ୍କ ଦେହାନ୍ତ ଖବରକୁ ନେଇ ବଲିଉଡ ରେ ଶୋକର ଛାୟା ଖେଳି ଯାଇଛି | ଅନେକ କଳାକାର ଓ ନିର୍ଦେଶକ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ଗତି ନେଇ କାମନା କରିଛନ୍ତି |

Related Posts