ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଆସି ଲାଠିମାଡ ଖାଇଲେ ସଲମାନ ଖାନଙ୍କ ଫ୍ୟାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଲିଉଡର ସୁପରଷ୍ଟାର ସଲମାନ ଖାନ୍ ଗତକାଲି ନିଜର ୫୭ ତମ ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନ ‌ପାଇଁ ଆୟୋଜିତ ହୋଇଥିବା ଭୋଜିରେ ଅନେକ କଳାକାର ସମେତ ଶାହାରୁଖ ଖାନ ଓ ସଲମାନଙ୍କ ପୂର୍ବତନ ପ୍ରେମିକାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହି କ୍ରମରେ ପ୍ରତିବର୍ଷ ଭଳି ଚଳିତ ଥର ବି ସଲମାନ ଖାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ସାମ୍ନାରେ ତାଙ୍କର ଫ୍ୟାନ୍ସମାନେ ନିଜର ପ୍ରିୟ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଥିଲେ। କିନ୍ତୁ ସେମାନେ ସେଠାରେ ଲାଠିମାଡ଼ର ଶିକାର ହୋଇଥିଲେ।

ଦୁଇବର୍ଷ ହେବ କରୋନା କଟକଣା ହେତୁ ଲୋକେ ତାଙ୍କ ଜନ୍ମଦିନରେ ଗହଳି କରୁ ନଥିଲେ। ଚଳିତ ଥର କରୋନା କଟକଣା ଉଠି ଯାଇଥିବାରୁ ନିଜର ପ୍ରିୟ ଅଭିନେତା ସଲୁ ଭାଇଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ଫ୍ୟାନ୍ସମାନେ ତାଙ୍କ ଘର ସାମ୍ନାରେ ପ୍ରବଳ ଗହଳି କରିଥିଲେ। ଫ୍ୟାନ୍ସଙ୍କ ଅନୁରୋଧ କ୍ରମେ ସଲମାନ ଘରର ବାଲକୋନିରେ ଠିଆ ହୋଇ ଫ୍ୟାନ୍ସଙ୍କୁ ଦେଖି ହାତ ହଲାଇ ସେମାନଙ୍କ ଜନ୍ମଦିନର ଶୁଭେଚ୍ଛା ଗ୍ରହଣ କରିଥିଲେ । ଏଥିସହିତ ଘର ସାମ୍ନାରେ ଛିଡ଼ା ହୋଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ତେବେ ବର୍ତ୍ତମାନ ସଲମାନଙ୍କ ଘର ସାମ୍ନାର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ପ୍ରଶଂସକଙ୍କ ଭିଡ ଏତେ ଅଧିକ ହୋଇଯାଇଥିଲା ଯେ ପୁଲିସର ନିୟନ୍ତ୍ରଣ ବାହାରେ ହୋଇଯାଇଥିଲା। ତେଣୁ ଭିଡ଼କୁ କାବୁ କରିବା ପାଇଁ ପୁଲିସକୁ ବାଧ୍ୟ ହୋଇ ଲାଠି ମାଡ଼ କରିବାକୁ ପଡ଼ିଥିଲା। ଏହି ଲାଠିମାଡ଼ରେ କେହି ଗୁରୁତର ହୋଇ ନ ଥିଲେ ମଧ୍ୟ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ଅନେକ ଫ୍ୟାନ୍ସ ନିରାଶ ହୋଇ ଘରକୁ ଫେରିଥିଲେ ବୋଲି ଜଣ ପଡିଛି ।

Related Posts