ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ହାତରେ ଗଦା !

ସମ୍ବଲପୁର; ପୁଣି ଚର୍ଚାରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ସମ୍ବଲପୁର ହନୁମାନ ଜୟନ୍ତୀ ଅବସରରେ ଖଣ୍ଡା ବଦଳରେ ଗଦା ବୁଲାଇଲେ ବିଧାୟକ | ଯାହାର ଭିଡିଓ ଏବେ ଭାଇରଲ ହୋଇଛି | ବିଗତ ଦୁଇ ବର୍ଷ ପରେ ଧୁମଧାମରେ ହନୁମାନ ଜୟନ୍ତୀ ପାଳନ ହୋଇଛି । ଏହି ଅବସରରେ ହାତରେ ଗଦା ଧରି ବୁଲିଥିଲେ ବିଧାୟକ | ସେପଟେ ହନୁମାନ ଜୟନ୍ତୀ କୁ ନେଇ ବିରାଟ ବଡ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା | ସୁରକ୍ଷାକୁ ଦୃଷ୍ଟିରେ ରଖି ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

ସେହିପରି ମସଜିଦ ଏବଂ ଚର୍ଚ୍ଚ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । କିନ୍ତୁ ଏହି ଭିଡ ଭିତରେ କେହି ଜଣେ ଖଣ୍ଡା ବୁଲାଇ ହଠାତ୍ ଗାଏବ ହୋଇଯାଇଥିଲେ । ଶୋଭାଯାତ୍ରା ଆରମ୍ଭରୁ ଶେଷ ଯାଏ ନିଜେ ଏସପି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିଲେ । ଶାନ୍ତି ଶୃଙ୍ଖଳାର ସହ ଶୋଭାଯାତ୍ରା ଶେଷ ହୋଇଥିବାରୁ ପୁଲିସକୁ ହନୁମାନ ଜୟନ୍ତୀ ସମିତି ତରଫରୁ ଧନ୍ୟବାଦ ଦିଆଯାଇଛି ।

ସୂଚନାଯୋଗ୍ୟ, ବିଧାୟକ ଜୟନାରାୟଣ ମିଶ୍ର ଅନେକ ସମୟରେ ଚର୍ଚାରେ ରହି ଆସନ୍ତି | ନିକଟରେ ସମ୍ବଲପୁର ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କ୍ଷେତରାଜପୁର ଥାନା ପୁଲିସ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ମାମଲା ରୁଜୁ କରିଥିଲା । ତହସିଲଦାରଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୨ ତାରିଖ ଦିନ କ୍ଷେତରାଜପୁର ଥାନା ଅଧୀନ ଦୁର୍ଗାପାଲି କୁସୁମପଡ଼ା ଠାରେ ପୁଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା। ଦିନ ୧୧ଟା ସମୟରେ ସ୍ଥାନୀୟ ବିଧାୟକ ଜୟ ନାରାୟଣ ମିଶ୍ର ତାଙ୍କର କିଛି ସମର୍ଥକଙ୍କ ସହ ଉକ୍ତ ସ୍ଥାନରେ ପହଞ୍ଚି ବିରୋଧ କରିବା ସହ ଲକ୍ଷ୍ମଣ ଅମାତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ |

Related Posts