ଦେଶର ପ୍ରଥମ ମୁସଲିମ ମହିଳା ଭାବେ ଯୁଦ୍ଧ ବିମାନ ଉଡ଼ାଇବା ମର୍ଜାପୁରର ସାନିଆ ମିର୍ଜା

ଭୁବନେଶ୍ୱର,୨୩/୧୨(ସତ୍ୟପାଠ ବ୍ୟୁରୋ): ଇତିହାସ ରଚିବେ ଉତ୍ତର ପ୍ରଦେଶର ମର୍ଜାପୁରର ଝିଅ ସାନିଆ ମିର୍ଜା। ସେ ଦେଶର ପ୍ରଥମ ମୁସଲିମ ମହିଳା ଭାବେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଉଡ଼ାଇବା। ସେହିପରି ଉତ୍ତରପ୍ରଦେଶର ପ୍ରଥମ ମହିଳା ଭାବେ ସାନିଆ ମିର୍ଜା ଫାଇଟର ଜେଟ୍‌ ଚଳାଇ ରେକର୍ଡ ସୃଷ୍ଟି କରିବେ।

ତେବେ ସାନିଆଙ୍କ ବାପା ଜଣେ ଟିଭି ମେକାନିକ। ମିର୍ଜାପୁର ଦେହାତ କୋଟୱାଲି ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ଥିବା ଜାସୋବର ଗାଁରେ ପୂରା ପରିବାର ଲୋକଙ୍କ ସହ ରୁହନ୍ତି ସାନିଆ। ସେ ଏନଡିଏ ପରୀକ୍ଷାରେ ସଫଳତା ହାସଲ କରି ଯୁଦ୍ଧ ବିମାନର ପାଇଲଟ ହେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏପରି ସଫଳତା ହାସଲ କରି ସାନିଆ କେବଳ ନିଜ ଜିଲ୍ଲା ନୁହେଁ, ବରଂ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ହିନ୍ଦୀ ମିଡିୟମ ସ୍କୁଲରେ ପଢ଼ୁଥିବା ସାନିଆ ମିର୍ଜା କହିଛନ୍ତି ଯେ, ଯଦି ଇଚ୍ଛାଶକ୍ତି ଓ ନିଜ ଲକ୍ଷ୍ୟ ପ୍ରତି ଜଣେ ପ୍ରତିଶ୍ରୁତିବଦ୍ଧ ରହିଛି, ତା’ହେଲେ ହିନ୍ଦୀ ମିଡିୟମ ପିଲା ମଧ୍ୟ ସଫଳତା ହାସଲ କରିପାରିବେ। ଡିସେମ୍ବର ୨୭ରେ ସେ ପୁଣେରେ ଥିବା ଏନଡିଏ ଖଡକଧୱାସଲାରେ ଜଏନ କରିବେ। ସାନିଆଙ୍କ ଏପରି ସଫଳତାରେ ତାଙ୍କ ପରିବାର ଓ ଗାଁ ଲୋକଙ୍କ ଛାତି ଗର୍ବରେ ଫୁଲି ଉଠିଛି।

ତାଙ୍କ ବାପା ଶାହିଦ ଅଲୀ କହିଛନ୍ତି ଯେ, “ସାନିଆ ମିର୍ଜା ସବୁବେଳେ ଦେଶର ପ୍ରଥମ ଯୁଦ୍ଧ ବିମାନ ପାଇଲଟ ଅବନୀ ଚର୍ତୁବେଦୀଙ୍କୁ ତା’ ଆଦର୍ଶ ମାନି ଆସିଛି। ପିଲାଟି ବେଳକୁ ଅବନୀଙ୍କ ଭଳି ହେବାକୁ ତା’ର ଇଚ୍ଛା ଥିଲା। ସାନିଆ ଦେଶର ଦ୍ୱିତୀୟ ମହିଳା ଭାବେ ଫାଇଟର ପାଇଲଟ ହେବାକୁ ଯୋଗ୍ୟତା ଅର୍ଜନ କରିଛି। ଏଥିପାଇଁ ଆମେ ବହୁତ ଖୁସି।”

ସାନିଆଙ୍କ ମା’ ତବସୁମ ମିର୍ଜା କହିଛନ୍ତି, “ଆମ ଝିଅ ଆମକୁ ଓ ଆମ ପୂରା ଗାଁକୁ ଗର୍ବିତ କରିଛି। ସେ ଯୁଦ୍ଧ ବିମାନ ପାଇଲଟ ହେବାକୁ ଦେଖିଥିବା ସ୍ୱପ୍ନକୁ ପୂରଣ କରିଛି। ସେ ଏବେ ଗାଁର ସବୁ ଝିଅଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ପ୍ରେରଣା ଯୋଗାଇଛି।”

ତେବେ ସାନିଆ ମିର୍ଜା ପ୍ରଥମରୁ ୧୦ମ ଯାଏ ଗାଁରେ ଥିବା ପଣ୍ଡିତ ଚିନ୍ତାମଣି ଦୁବେ ଇଣ୍ଟର କଲେଜରେ ପାଠ ପଢ଼ିଥିଲେ। ଏହାପରେ ସେ ଗୁରୁ ନାନକ ଗାର୍ଲସ ଇଣ୍ଟର କଲେଜରେ ପଢ଼ିବା ଆରମ୍ଭ କରିଥିଲେ। ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସେ ରାଜ୍ୟ ଟପ୍ପର ହୋଇଥିଲେ।

ଟପ୍ପର ହେବା ପରେ ସେ ସେଞ୍ଚୁରିଅନ ଡିଫେନ୍ସ ଏକାଡେମୀରେ ଫାଇଟର ପାଇଲଟ ହେବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ଏହି ସଫଳତା ପାଇଁ ସବୁ ଶ୍ରେୟ ତାଙ୍କ ବାପା ମା’ ଓ ସେଞ୍ଚୁରିଅନ ଡିଫେନ୍ସ ଏକାଡେମୀକୁ ଦେଇଛନ୍ତି। ୨୦୨୨ ଜାତୀୟ ପ୍ରତିରକ୍ଷା ଏକାଡେମୀ ପରୀକ୍ଷାରେ ମାତ୍ର ୨ଟି ପଦ ମହିଳା ଫାଇଟର ପାଇଲଟ ପାଇଁ ରହିଥିଲା। ପ୍ରଥମ ପ୍ରୟାସରେ ସାନିଆ ସିଟ୍‌କୁ ଦଖଲ କରିପାରି ନଥିଲେ। କିନ୍ତୁ ଦ୍ୱିତୀୟ ଉଦ୍ୟମରେ ସେ ସଫଳତା ପାଇଛନ୍ତି।

Related Posts