
ସତ୍ୟପାଠ ବ୍ୟୁରୋ : ପୁଲିସ ନାଁ ଶୁଣିଲେ ସବୁବେଳେ ମନ ଭିତରେ ଆଙ୍କି ହୋଇଯାଏ ଏକ ଭୟାନକ ଚେହେରା । ଲାଠି, ନାଲିଆଖି , ଗାଳି ଆଉ ହାଜତ ଏମିତି କିଛି କଥା ମନକୁ ଚାଲିଆସେ । ଭାବନାରେ ଖେଳିଯାଏ ପୁଲିସ ପ୍ରତି ଯେତେ ସବୁ ନକରାତ୍ମକ ଚିନ୍ତାଧାରା । ହେଲେ ଏ ଭାବନା ବି ବେଳେବେଳେ ଭୁଲ ହୁଏ । ଖାସ କରି ଯଦି ସେ ପୁଲିସ ପୋଷାକ ଭିତରେ ଲେଡି ଆଇପିଏସ୍ ସାରା ଶର୍ମା ଥାଆନ୍ତି ତାହାହେଲେ ଭାବନା ଏକଦମ ବଦଳି ଯିବ । ଏ ଖବର ପଢ଼ି ଆପଣ ବି କହିବେ ସତରେ ସାରା ହେଉଛନ୍ତି ଗଜପତିର ଷ୍ଟାର ।
ମାଓଦମନ ଓ ଅପରାଧୀଙ୍କୁ ସାବାଡ କରିବା କ୍ଷେତ୍ରରେ ପୂର୍ବରୁ ସାରାଙ୍କ ବେଶ ନାଁ ଥିବା ବେଳେ ଏବେ ସାରା ଗୀତ ଗାଉଥିବାର ଭିଡିଓ ସାମ୍ନାକୁ ଆସିଛି । ମହିଳା ଏସପିଙ୍କ କଣ୍ଠରେ ଶୁଭିଛି ମହିଳା ସୁରକ୍ଷାର ବାର୍ତ୍ତା । ଷ୍ଟୁଡିଓରେ ସାଥୀଙ୍କ ସହ ମିଶି ଗୀତ ଗାଇଛନ୍ତି ଗଜପତି ଏସପି ସାରା ଶର୍ମା
ଜଣେ ଏସପି ଗୀତ ଗାଇବା ଆଶ୍ଚର୍ଯ୍ୟ କଥା ନୁହେଁ କିନ୍ତୁ ସାରା ଶର୍ମା ଯେଉଁ ସୁରିଲା ଅନ୍ଦାଜ୍ ଆଉ ଟିମ୍ବରରେ ଗୀତଟିକୁ ଉଠାଇଛନ୍ତି ତାହା ଆଛା ଆଛା ସଂଗୀତକାରଙ୍କୁ ବି ଅବାକ୍ କରି ଦେଇଛି । ଆଇପିଏସ୍ ସାରା ଜଣେ ସୁନ୍ଦର କଣ୍ଠଶିଳ୍ପୀ ତାହା ଏହି ଗୀତ ଜଣାଇ ଦେଇଛି । କେବଳ ଭଲ କଣ୍ଠଶିଳ୍ପୀ ନୁହଁନ୍ତି ସାରାଙ୍କ ସ୍ୱର ଶୁଣିବା ପରେ ଲାଗୁଛି ସେ ଓଡିଶାର ଯେ କୌଣସି ଷ୍ଟାର ସିଙ୍ଗରଙ୍କୁ ବି ମାତ୍ ଦେଇଦେବେ ।
ସିଟିମ୍ ସଦସ୍ୟମାନଙ୍କୁ ନେଇ ମହିଳା ସୁରକ୍ଷା ପାଇଁ କାମ କରିବାକୁ ଅଭିନବ ଉଦ୍ୟମ କରିଛନ୍ତି ଏହି ଲେଡି ଆଇପିଏସ୍ । ସୋସିଆଲ ମିଡିଆରେ ଗୀତଟିର ଷ୍ଟୁଡିଓ ଭର୍ସନ ପୋଷ୍ଟ ହେବା ପରେ ଦର୍ଶକଙ୍କ ଆଦୃତି ମିଳିଛି । ସାରାଙ୍କ କଣ୍ଠକୁ ବି ବେଶ ତାରିଫ କରାଯାଇଛି । ରକିଂ ଷ୍ଟାଇଲରେ ଗୀତଟିକୁ ଗାଇଛନ୍ତି ସାରା । ତେବେ କୌଣସି ସ୍ଥାନରେ ମହିଳା କିମ୍ବା ଝିଅ ସମସ୍ୟାରେ ପଡି ସି-ଟିମ୍ ନମ୍ବରରେ କଲ କଲେ ତୁରନ୍ତ ଏହାର ସଦସ୍ୟ ପହଂଚି ତାଙ୍କୁ ଉଦ୍ଧାର କରିବେ ।
ମହିଳାଙ୍କ ସୁରକ୍ଷା ପାଇଁ ହାଇଦ୍ରାବାଦ ଢ଼ାଂଚାରେ କାମ କରିବାକୁ ଥିବା ସି-ଟିମ୍ ର ପ୍ରମୋସନ ପାଇଁ ସାରା ଏହି ଗୀତଟି ଗାଇଛନ୍ତି । ଗୀତର ବୋଲ୍ ରହିଛି ‘ଆମେ ସି-ଟିମ୍’ । ମହିଳା ଓ ନାବାଳିକାଙ୍କ ସୁରକ୍ଷା ପାଇଁ ଜଗପତି ଜିଲ୍ଲାରୁ ହିଁ ସି-ଟିମ୍ ପାଇଲଟ ପ୍ରୋଜେକ୍ଟ ଭାବେ କାମ କରିବ । ଆସନ୍ତା ୨୮ରୁ ସି-ଟିମ୍ କାମ ଆରମ୍ଭ କରିବ ବୋଲି ସାରା ଶର୍ମା ସୂଚନା ଦେଇଛନ୍ତି ।