ଟିକଟକରେ ଓଡିଶା ନର୍ସଙ୍କ ଭିଡିଓ

ସତ୍ୟପାଠ ବ୍ୟୁରୋ : ମାଲକାନଗିରିର କିଛି ନର୍ସଙ୍କୁ ନେଇ ଉଠିଛି ବିବାଦ । ବିବାଦ ହୋଇଛି ଟିକଟକରେ ଏମାନଙ୍କ ଭିଡିଓ ପୋଷ୍ଟିଂକୁ ନେଇ । ଏସଏନସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ୱାର୍ଡରେ ଏମାନେ ଟିକଟକ୍ ଭିଡିଓ ସୁଟ୍ କରି ପୋଷ୍ଟ କରିଥିବା ଅଭିଯୋଗରେ ଏମାନଙ୍କୁ ସିଡିଏମଓଙ୍କ ନିକଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ହୁଏତ ଏମାନେ ସେତେବେଳେ ଡ୍ୟୁଟିରେ ଅବହେଳା କରିଛନ୍ତି କି ନାହିଁ ତାହା କେହି ଜାଣି ନାହାଁନ୍ତି । ଚିକିତ୍ସାଧୀନ ଶିଶୁଙ୍କ ସେବା ନକରି ଟିକଟକ୍ରେ ବ୍ୟସ୍ତ ଥିବାର ବି କେହି ଦେଖିନାହିଁ । କିନ୍ତୁ ଗୋଟିଏ କଥା ତ ସତ, ନର୍ସ ବା ସେବିକା ଏମିତି ଏକ ଚାକିରୀ ଯେଉଁଥିରେ କେବଳ ପ୍ରେସର ଆଉ ପ୍ରେସର ମିଳିଥାଏ । ଆଉ ଯଦି ଚାକିରୀଟି ଉପାନ୍ତ ଅଂଚଳର ସରକାରୀ ଡାକ୍ତରଖାନାରେ ହେଲା ତେବେ ରିଲାକ୍ସ ହେବା ତ ଦୂରର କଥା ଟିକିଏ ନିଶ୍ୱାସ ମାରିବା ବି ବହୁତ କଷ୍ଟ ।

କୁହାଯାଇପାରେ ଏମାନେ ଡ୍ୟୁଟିରେ ଥାଇ କିଭଳି ଟିକଟକ୍ ଭିଡିଓରେ ବ୍ୟସ୍ତ ରହିଲେ । ହେଲେ ଥରେ କେହି ଭାବିଲେନି, ଏତେ ଶାରିରୀକ ଚାପ, କାର୍ଯ୍ୟବ୍ୟସ୍ତତା ଭିତରେ ଟିକିଏ ଫୁର୍ତ୍ତୀ କରିବା ପାଇଁ ସେମାନେ ଏହି ଭିଡିଓ କରିଥାଇ ପାରନ୍ତି । ଏତେ ଚାପ ପରେ ବି ସେମାନେ କେତେ ଖୁସି ଅଛନ୍ତି ତାହା ଭିଡିଓରୁ ସ୍ପଷ୍ଟ ଜଣାପଡି ଯାଉଛି ।

ଉପାନ୍ତ ଆଦିବାସୀ ଇଲାକାର ସରକାରୀ ଡାକ୍ତରଖାନାରେ ଚାକିରୀ କରିଥିବା ନର୍ସଟିଏ ଯେ ହସିବା ପାଇଁ ଏତିକି କରି ପାରିବ ତାହା ବୁଝିବାକୁ ବଡ ବଡିଆ ବାବୁ ମାନେ ନାରାଜ । ଟିକଟକ ଭିଡିଓ ପାଇଁ କୈଫିୟତ ମାଗିଛନ୍ତି ସିଡିଏମଓ । କିନ୍ତୁ କର୍ମକ୍ଲାନ୍ତ ଜୀବନରେ ଏଭଳି ଟିକିଏ ହାଲୁକା ହେବା ଦୋଷାବହ ଯେ ହୋଇପାରେ ତାହା କେହି ଭାବିବା ବି ମୁସ୍କିଲ ।

Related Posts