
ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ପିସିସି ସଭାପତି । ଶରତଙ୍କୁ ନୂଆ ପିସିସି ଭାବେ ଦାୟିତ୍ଵ ନେଇଛନ୍ତି AICC । ଦ୍ୱିତୀୟ ଥର ପାଇଁ ତାଙ୍କୁ ଏହି ଦାୟିତ୍ୱ ଦେଇଛି କଂଗ୍ରେସ୍ । ତେବେ ସଭାପତି ଦୌଡରେ ଆଗରେ ରହିଥିଲେ ବିଧାୟକ ତାରାପ୍ରସାଦ ବାହିନୀପତି । ତାଙ୍କ ବ୍ୟତୀତ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ, ଜଟଣୀ ବିଧାୟକ ସୁର ରାଉତରାୟ ଏବଂ ଜୟଦେବ ଜେନାଙ୍କ ନାଁ ମଧ୍ୟ ଶୁଣିବାକୁ ମିଳୁଥିଲା । ହେଲେ AICC ଶରତଙ୍କ ନାମରେ ମୋହର ମାରିଛି ।
ପୂର୍ବରୁ ରାଜ୍ୟ କଂଗ୍ରେସର ମଙ୍ଗ କିଏ ଧରିବ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ନୂଆ ସଭାପତି ମିଳିବା ନେଇ କୁହାଯାଉଥିଲା । ଏନେଇ କଂଗ୍ରେସର ଚିନ୍ତନ ଶିବିର ବୈଠକ ମଧ୍ୟ ହୋଇଥିଲା ।
ରାଜ୍ୟର ପିସିସି ପରିବର୍ତ୍ତନ ନେଇ ପ୍ରଭାରୀ ଚେଲ୍ଲାକୁମାର ଓଡିଶା ଗସ୍ତରେ ଆସିଥିଲେ । ଏହି ସମୟରେ ସେ ଦଳର ବରିଷ୍ଠ ନେତାମାନଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିଥିଲେ । ପରେ ସେ ଦିଲ୍ଲୀ ଫେରିଯାଇ ହାଇକମାଣ୍ଡଙ୍କ ନିକଟରେ ସବିଶେଷ ରିପୋର୍ଟ ଦାଖଲ କରିଥିଲେ । ପ୍ରଭାରୀ ଦିଲ୍ଲୀ ଫେରିବାର କିଛି ଦିନ ପରେ ରାଜ୍ୟରେ ସମସ୍ତ କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାମାନେ ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ ରାହୁଲ ଗାନ୍ଧୀଙ୍କ ଦଳୀୟ ସ୍ଥିତି ନେଇ ଆଲୋଚନା କରିଥିଲେ । ସମସ୍ତଙ୍କୁ ଏକ୍ଜୁଟ ହୋଇ କାମ କରିବାକୁ ରାହୁଲ ଗାନ୍ଧୀ ପରାମର୍ଶ ମଧ୍ୟ ଦେଇଥିଲେ ।
ସୂଚନା ଥାଉକି ୨୦୧୯ରୁ ପିସିସି ସଭାପତି ପଦରୁ ନିରଞ୍ଜନ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇନଥିଲା । ତେବେ ଏହାକୁ ମଧ୍ୟ ଗୃହୀତ କରାଯାଇଥିବା AICC ପକ୍ଷରୁ କୁହାଯାଇଛି ।