କଂଗ୍ରେସ ମିଡ଼ିଆ ଆବାହକ ପଦବୀରୁ ଇସ୍ତଫା ଦେଲେ ସତ୍ୟ ନାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟ କଂଗ୍ରେସର ଗଣମାଧ୍ୟମ ଆବାହକ ତଥା ସାଧାରଣ ସମ୍ପାଦକ ସତ୍ୟ ପ୍ରକାଶ ନାୟକ ଆଜି ନିଜର ପଦରୁ ଇସ୍ତଫା ଦେଇଛନ୍ତି। ଉଭୟ ଗଣମାଧ୍ୟମ ଆବାହକ ଓ ସାଧାରଣ ସମ୍ପାଦକ ପଦରୁ ସେ ଇସ୍ତଫା ଦେଇଥିବା ନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏନେଇ ସେ ନିଜ ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ କଂଗ୍ରେସର ପ୍ରଭାରୀ ଚେଲ୍ଲା କୁମାରଙ୍କ ନିକଟକୁ ପଠାଇ ଥିବା ଜଣା ପଡିଛି। ଗତକାଲି ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ରାଜ୍ୟ କଂଗ୍ରେସ ପକ୍ଷରୁ ପିସିସି ସଦସ୍ୟଙ୍କ ଯେଉଁ ୪୨୭ ଜଣିଆ ଚିଠା ପ୍ରସ୍ତୁତ କରାଯାଇଥିଲା ସେଥିରେ ତାଙ୍କ ନାମ ନଥିଲା। ସେ ଦଳର ଅଧକ୍ଷ ପଦବୀ ପାଇଁ ମତଦାନରୁ ବାଦ୍ ପଡ଼ିଥିଲେ ଏହାପରେ ସେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ନିଜ ଇସ୍ତଫା ନେଇ ସତ୍ୟ ପ୍ରକାଶ ସୂଚନା ଦେଇ କହିଛନ୍ତି ଯେ, ସେ ଦୀର୍ଘ ଦିନ ଧରି କଂଗ୍ରେସରେ କାର୍ଯ୍ୟ କରି ଆସୁଛନ୍ତି। ଦଳ ପକ୍ଷରୁ ସାଧାରଣ ସମ୍ପାଦକ, ପୂର୍ବରୁ ମିଡ଼ିଆ ସେଲର ଅଧ୍ୟକ୍ଷ ଓ ଏବେ ମିଡ଼ିଆ ଆବାହକ ଭାବରେ ନିଜ କର୍ତ୍ତବ୍ୟକୁ ଦାୟିତ୍ୱର ସହ ତୁଲାଇ ଆସିଛନ୍ତି। ଦଳ ପକ୍ଷରୁ ଗତ ସାଧାରଣ ନିର୍ବାଚନରେ ସେ ପୁରୀ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ମଧ୍ୟ ପ୍ରତିଦ୍ବନ୍ଦିତା କରିଥିଲେ ହେଲେ ଏବେ ପିସିସି ସଦସ୍ୟ ତାଲିକାରୁ ତାଙ୍କ ନାମ ହଟାଇବା ଦୁର୍ଭାଗ୍ୟଜନକ ବୋଲି ସତ୍ୟ ପ୍ରକାଶ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପିସିସି ପକ୍ଷରୁ ଯିଏ ବି ଏହି ତାଲିକା ପ୍ରସ୍ତୁତ କରିଛନ୍ତି ସେ ବହୁ ଭାବି ଚିନ୍ତି କରିଥିବେ। ସେ ବୋଧହୁଏ ଦଳର ସାଧାରଣ ସମ୍ପାଦକ ଓ ମିଡ଼ିଆ ଆବାହକ ଭାବେ ମୋର ଯୋଗ୍ୟତାକୁ ଗୌଣ ମନେ କରୁଛନ୍ତି ବା ମୋର ଏହି ପଦବୀରେ ରହିବାର ଆବଶ୍ୟକତା ନାହିଁ ବୋଲି ଭାବୁଛନ୍ତି ତେଣୁ ମୁଁ ଉଭୟ ସାଧାରଣ ସମ୍ପାଦକ ଓ ମିଡ଼ିଆ ଆବାହକ ପଦବୀରୁ ଇସ୍ତଫା ଦେଉଛି ବୋଲି ସେ କହିଛନ୍ତି। ତେବେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ ମଧ୍ୟ ସେ କଂଗ୍ରେସରେ ରହିବେ ବୋଲି ସତ୍ୟ ପ୍ରକାଶ ସ୍ପଷ୍ଟ କରିଛନ୍ତି।

ଅନ୍ୟପଟେ ସତ୍ୟ ପ୍ରକାଶଙ୍କ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି ଦଳର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ। ଏନେଇ ସୁର କହିଛନ୍ତି ଯେ, ସତ୍ୟ ଦଳର ଜଣେ ଦାୟିତ୍ବ ସମ୍ପନ୍ନ ନେତା। ତାଙ୍କୁ ପିସିସି ସଦସ୍ୟ ତାଲିକାରୁ ହଟାଇବା ଦୁର୍ଭାଗ୍ୟଜନକ। ଏନେଇ ସେ ଦଳର କେନ୍ଦ୍ରୀୟ ନେତୃତ୍ବଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସୁର କହିଛନ୍ତି।

Related Posts