ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): ନବଜାତ ଶିଶୁକୁ ସାଙ୍ଗରେ ଧରି ବିଧାନସଭା ପହଞ୍ଚିଲେ ବିଧାୟିକା । ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଚାଲିଥିବାବେଳେ ନିକଟରେ ମା’ ହୋଇଥିବା ଏନସିପି ବିଧାୟିକା ସରୋଜ ବାବୁଲାଲ୍ ଅହିର ନିଜ ସନ୍ତାନକୁ ଧରି ଅଧିବେଶନରେ ସାମିଲ ହୋଇଛନ୍ତି । ଆଉ ନିଜ ବିଧାନସଭା କ୍ଷେତ୍ରର ଲୋକଙ୍କ ପାଇଁ ପ୍ରଶ୍ନ ଓ ଜବାବ ରଖିଛନ୍ତି ।
ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୩୦ ତାରିଖରେ ମାଆ ହୋଇଛନ୍ତି ଏନସିପି ବିଧାୟିକା ସରୋଜ ବାବୁଲାଲ୍ ଅହିର । ପୂର୍ବରୁ ମହିଳା ସଶକ୍ତିକରଣକୁ ନେଇ ଅନେକ କାର୍ଯ୍ୟ କରିଛନ୍ତି ସରୋଜ । ଏବେ ନିଜ ତିନି ମାସର ଶିଶୁକୁ ଧରି ମହାରାଷ୍ଟ୍ରରେ ବିଧାନସଭାରେ ପହଞ୍ଚି ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।
ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନ ଜାରି ରହିଥିବା ବେଳେ ସୋମବାର ନାଗପୁର ବିଧାୟିକା ସରୋଜ୍ ବାବୁଲାଲ ଅହିର ନିଜ ତିନି ମାସର ଶିଶୁକୁ ଧରି ଗୃହରେ ପହଞ୍ଚିଥିଲେ । ଗୃହରେ ନବଜାତକୁ ଦେଖି ସମସ୍ତ ବିଧାୟକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏନେଇ ସେ କହିଛନ୍ତି ଯେ, କରୋନା ପାଇଁ ମହାରାଷ୍ଟ୍ରରେ ଗତ ଅଢେଇ ବର୍ଷ ମଧ୍ୟ ବିଧାନସଭା କାର୍ଯ୍ୟ ହୋଇନଥିଲା । ଏବେ ଶୀତକାଳୀନ ଅଧିବେଶନ ଜାରି ରହିଛି, ମୁଁ ମାଆ ହୋଇଥିଲେ ବି ମୋର ପ୍ରଥମ କର୍ତ୍ତବ୍ୟ, ନିଜ ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାମ କରିବା। ତେଣୁ ନବଜାତକୁ ଧରି ଶୀତ ଅଧିବେଶନରେ ସାମିଲ ହୋଇ ଭୋଟରଙ୍କ ପାଇଁ ପ୍ରଶ୍ନ କରିବା ସହିତ ଜବାବ ମଧ୍ୟ ରଖିଛି ବୋଲି ସେ କହିଛନ୍ତି।
