ତଓ୍ବାଙ୍ଗ ପ୍ରସଙ୍ଗରେ ରାଜ୍ୟସଭାରେ ହଙ୍ଗାମା; ଆଲୋଚନା ନହେବାରୁ ବିରୋଧୀଙ୍କ କକ୍ଷତ୍ୟାଗ

ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): ସଂସଦର ଶୀତ ଅଧିବେଶନରେ ଆଜି ଗୃହରେ ଦେଖିବାକୁ ମିଳିଛି ତଓ୍ବାଙ୍ଗ ତାତି । ସୋମବାର ଅରୁଣାଚଳରେ ଭାରତ-ଚୀନ ସେନା ସଂଘର୍ଷକୁ ନେଇ ରାଜ୍ୟ ସଭାରେ ହଙ୍ଗାମା । ବିରୋଧ ପ୍ରଦର୍ଶନ ପରେ କକ୍ଷତ୍ୟାଗ କରିଛନ୍ତି ବିରୋଧୀ । ସୀମା ସଂଘର୍ଷ ଉପରେ ଗୃହ ଅଧ୍ୟକ୍ଷ ଆଲୋଚନା ନକରିବାରୁ କଂଗ୍ରେସ ସମେତ ଅନ୍ୟ ବିପକ୍ଷ ଦଳମାନେ ଓ୍ବାକ୍ ଆଉଟ୍ କରିଛନ୍ତି ।

ଡିସେମ୍ବର ୯ତାରିଖରେ ଆରୁଣାଚଳର ତଓ୍ବାଙ୍ଗ ସେକ୍ଟରରେ ଚୀନ ସେନା ଭାରତୀୟ ପୋଷ୍ଟ କବଜା କରିବାକୁ ଉଦ୍ୟମ କରିଥିଲେ।ଚୀନ୍‌ ସେନାର ଏହି ନାପାକ୍ ଉଦ୍ୟମକୁ ପଣ୍ଡ କରିଥିଲେ ଭାରତୀୟ ଯବାନ । ଏହାକୁ ନେଇ ସଂସଦର ଶୀତ ଅଧିବେଶନରେ ତାତି ବଢୁଛି । ପ୍ରଥମେ ଲୋକସଭାରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ହେବା ପରେ ସୋମବାର ରାଜ୍ୟସଭାରେ ହଙ୍ଗାମା କରିଛନ୍ତି ବିପକ୍ଷ ଦଳ । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ତଓ୍ବାଙ୍ଗ ସଂଘର୍ଷକୁ ଉପରେ ଗୃହ ଆଲୋଚନା କରିବା ନେଇ ଅଧ୍ୟକ୍ଷଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ଏହା ଉପରେ ଆଲୋଚନା ହେଉନଥିବାରୁ ଗୃହତ୍ୟାଗ କରିଥିଲେ ବିରୋଧୀ।

ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାଅର୍ଜୁନ ଖଡଗେ ରାଜ୍ୟସଭା ଅଧ୍ୟକ୍ଷ ଓ ଉପରାଷ୍ଟ୍ରପତି ଜଗଦୀପ୍ ଧନକଡଙ୍କୁ ବିରୋଧ କରିବା ସହିତ ଗୃହର ବିଶେଷ ଅଧିକାର ପ୍ରୟୋଗ କରି ତଓ୍ବାଙ୍ଗ ମାମଲା ଉପରେ ଚର୍ଚ୍ଚା କରିବାକୁ କହିଥିଲେ । ସେପଟେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ବିରୋଧ ନେତାଙ୍କୁ ଟାର୍ଗେଟ୍ କରିଥିଲେ । ୟୁପିଏ ସରକାର ସମୟରେ କଂଗ୍ରେସ ଏଭଳି ମୁଦ୍ଦା ଉପରେ କେତେ ଆଲୋଚନା କରିଛି ବୋଲି ପାଲଟା ପ୍ରଶ୍ନ କରିଥିଲେ । ମଲ୍ଲିକା ଅର୍ଜୁନ ଖଡଗେ ନିଜ ପଦର ମର୍ଯ୍ୟାଦା ହାନି କରୁଛନ୍ତି ବୋଲି କହିଥିଲେ ପୟୁଷ ଗୋଏଲ ।

ସେପଟେ ଏହାର ଜବାବ ରଖିଥିଲେ ରାଜ୍ୟସଭା ବିରୋଧୀ ଦଳ ନେତା । ରାଜ୍ୟସଭାରେ ବିରୋଧୀଙ୍କୁ ଧ୍ୟାନ ଦିଆଯିବା ଦରକାର । ସମ୍ବିଧାନରେ ବିଶେଷ ଅଧିକାରର ବ୍ୟବସ୍ଥା ରହିଛି । ଏହି ଗୁରୁତ୍ବପୂର୍ଣ୍ଣ ମାମଲାରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏହି ବିଶେଷ ଅଧିକାରକୁ ପ୍ରୟୋଗ କରି ପାରିବୁ ବୋଲି ଖଡଗେ କହିଥିଲେ। ଚୀନ୍ ବାରମ୍ବାର ଏଲଏସି ଅତିକ୍ରମ କରିବାକୁ ଚେଷ୍ଟା କରୁଛି । ସରକାର ଏହାକୁ ଗମ୍ଭୀରତାର ସହ ନେଇ ଆକ୍ଟ-୨୬୬ ଓ ଆକ୍ଟ-୨୬୭କୁ ପ୍ରୟୋଗ କରି ଚର୍ଚ୍ଚା କରିବାକୁ କହିଥିଲେ।

Related Posts