ମନ୍ଦିର ଭିତରକୁ ପୋଲିସ ଜୋତା ଓ ଅସ୍ତ୍ରଶସ୍ତ୍ର ଧରି ପ୍ରବେଶ କରିପାରିବେ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଧାଡି ଦର୍ଶନକୁ ନେଇ ଶ୍ରୀମନ୍ଦିରରେ ହୋଇଥିବା ହିଂସାକାଣ୍ଡର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ନିୟମ ବଳବତ୍ତର ରଖିଛନ୍ତି ସର୍ବୋଚ୍ଚ ଅଦାଲତ । ହେଲେ କୌଣସି ପୋଲିସ ଅଧିକାରୀ ଅସ୍ତ୍ରଶସ୍ତ୍ର କିମ୍ବା ଜୋତା ପିନ୍ଧି ମନ୍ଦିର ଭିତରକୁ ନପଶିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ ଗତ ଜୁଲାଇ ୫ ତାରିଖରେ ଯେଉଁ ଆଦେଶ ଦେଇଥିଲେ, ତା ଉପରେ ରହିତାଦେଶ ଜାରି କରିବା ଲାଗି ଜଣେ ଆଇନଜୀବୀ ଦେବାଶିଷ ମିଶ୍ର ଆବେଦନ କରିଥିଲେ । ଏହା ଉପରେ ଜରୁରି ଶୁଣାଣି କରିଛନ୍ତି କୋର୍ଟ ।

ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରିଛନ୍ତି । ବୁଧବାର ହେବାକୁ ଶୁଣାଣି ହେବାକୁ ଥିବା ମାମଲା ମଧ୍ୟରେ ଏହି ମାମଲା ୧୬ନମ୍ବରରେ ଥିଲା । ଧାଡ଼ି ଦର୍ଶନକୁ ପ୍ରବଳ ବିରୋଧ କରି ଗତ ୩ ତାରିଖରେ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଥିଲା । ଯାହାକୁ ବିରୋଧ କରି ସ୍ଥାନୀୟ ଲୋକେ ହିଂସାକାଣ୍ଡ କରିଥିଲେ ।

ତେଣୁ ସର୍ବୋଚ୍ଚ ଅଦାଲତ ପୁରୀ ଜିଲ୍ଲା ଜଜଙ୍କ ସୁପାରିସ ଆଧାରରେ ଯେଉଁ ନିର୍ଦ୍ଦେଶ ଜାରି କରିଥିଲେ, ତାହା ଉପରେ ରହିତାଦେଶ ଜାରି କରିବା ପାଇଁ ଆଇନଜୀବୀ ଦେବାଶିଷ ମିଶ୍ର ତାଙ୍କ ଆବେଦନରେ ଦର୍ଶାଇଥିଲେ । ଯଦି ଧାଡ଼ି ଦର୍ଶନ ବ୍ୟବସ୍ଥା ନହେବ ତାହେଲେ ଆଗକୁ ପରିସ୍ଥିତି ଜଟିଳ ହେବ ବୋଲି ଆଶଙ୍କା କରି ଦେବାଶିଷ ଦର୍ଶାଇଥିଲେ ।

ତେବେ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଥିଲା । ପ୍ରଥମ ଦିନ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଜନ ଅସନ୍ତୋଷ ବୃଦ୍ଦି ପାଇବାରୁ ଆଗକୁ ନିୟମରେ ପରିବର୍ତ୍ତନ କରାଯିବ ବୋଲି ମନ୍ଦିର ପ୍ରଶାସନ କହିଥିଲେ ।

Related Posts