ଭୁବନେଶ୍ଵର,୨୭/୧୨(ସତ୍ୟପାଠ ବ୍ୟୁରୋ): ଖୁବଶୀଘ୍ର ଭୁବନେଶ୍ବର ଓ ଜୟପୁର ମଧ୍ୟରେ ଆଉ ଏକ ବିମାନ ଉଡ଼ିବ ବୋଲି ସୂଚନା ମିଳିଛି। ଯାତ୍ରୀମାନଙ୍କ ଚାହିଦା ଓ ଦାବିକୁ ନେଇ ଇଣ୍ଡିଆ ୱାନ ଏୟାର ଏହି ଦ୍ଵିତୀୟ ବିମାନ ଉଡ଼ାଇବାକୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଟ୍ବିଟ୍ କରି ସୁଚନା ଦେଇଛନ୍ତି।

ସୂଚନା ଅନୁସାରେ, ଜୟପୁର ବିମାନବନ୍ଦରରୁ ଭୁବନେଶ୍ବରକୁ ଦ୍ବିତୀୟ ବିମାନ ଉଡ଼ାଣ ପାଇଁ ଜୟପୁରର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦାବି କରିଆସୁଥିଲେ। ଜୟପୁର ବିମନବନ୍ଦରକୁ ଗତ ଅକ୍ଟୋବର ୩୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଉଦଘାଟନର ଏକ ସପ୍ତାହ ପରେ ଭୁବନେଶ୍ବରରୁ ଜୟପୁର ଦେଇ ବିଶାଖାପାଟଣା ବିମାନ ଚଳାଚଳ କରିଥିଲା। ଏହି ବିମାନ ଏବେ ରବିବାର ବ୍ୟତୀତ ପ୍ରତିଦିନ ଚାଲିଛି। ଭୁବନେଶ୍ବରରୁ ପୂର୍ବାହ୍‌ ୧୧ଟା ୩୫ରୁ ବାହାରି ଜୟପୁରରେ ଦିନ ୧୨ଟା ୪୦ରେ ପହଂଚୁଛି। ଏହା ପରେ ୧୫ ମିନିଟ ରହଣି ପରେ ପୁଣି ବିମାନଟି ବିଶାଖାପାଟନମ ଅଭିମୁଖେ ବାହାରୁଛି। ସେଠାରୁ ପୁଣି ଜୟପୁର ବିମାନବନ୍ଦରକୁ ଫେରୁଛି। ଅପରାହ୍‌ଣ ୩ଟା ୪୦ରେ ପୁଣି ଜୟପୁରରୁ ଭୁବନେଶ୍ବର ଅଭିମୁଖେ ବାହାରୁଛି।