ବେଙ୍ଗାଲୁରୁ: ଦେଶରେ ଏବେ ମନ୍ଦିର-ମସଜିଦକୁ ନେଇ ବିବାଦ ମୁଣ୍ଡ ଟେକିଛି | ଜ୍ଞାନବାପୀ ମାମଲା ମଧ୍ୟରେ କର୍ଣ୍ଣାଟକର ମାଙ୍ଗାଲୋରରେ ଏବେ ମସଜିଦ କୁ ନେଇ ବିବାଦ ଉପୁଜିଛି | ମାଙ୍ଗାଲୋରରେ ଥିବା ଏକ ପୁରୁଣା ଜାମା ମସଜିଦ ତଳୁ ହିନ୍ଦୁ ମନ୍ଦିର ଭଳି ଡିଜାଇନ୍‌ ମିଳିଥିବା ଦାବି ହୋଇଛି। ସେଠାରେ ବିଶ୍ୱ ହିନ୍ଦୁ ପରିଷଦ ଏକ ଅନୁଷ୍ଠାନ କରିବାକୁ ଯାଉଛି। ଏହି କାରଣରୁ ବିବାଦ ଯେପରି ଆଗକୁ ନ ବଢ଼ି ହିଂସାର ରୂପ ନ ନିଏ ସେଥିପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ଦିର ଠାରୁ ୫୦୦ ମିଟର ବ୍ୟାପୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

ବୁଧବାର ରାତିରୁଏହି ୧୪୪ ଧାରା ଲାଗୁ ହେବ। ଆସନ୍ତାକାଲି ସନ୍ଧ୍ୟା ୮ ଯାଏ ଏହା ବଳବତ୍ତର ରହିବ। ମସଜିଦ ହେବା ପୂର୍ବରୁ ଏହା ହିନ୍ଦୁ ମାନଙ୍କର ମନ୍ଦିର ଥିଲା ବୋଲି ହିନ୍ଦୁ ସଙ୍ଗଠନ ଦାବି କରୁଛି । ଏହାକୁ ନେଇ ଜାମା ମସଜିଦର ଦସ୍ତାବିଜ୍ ଯାଞ୍ଚ କରି ଏହାର ବାସ୍ତବତା ଖୋଜିବାକୁ ହିନ୍ଦୁ ସଙ୍ଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କ ପାଖରେ ଅପିଲ କରାଯାଇଛି ।

ବିଜେପି ମଧ୍ୟ ଏଠାରେ ସର୍ଭେ କରିବାକୁ ନେଇ ଦାବି ଉଠାଇଛି। ଶାସକ ଦଳ ବିଜେପି କହିଛି, ଏହି ମସଜିଦର ଏଏସ୍‌ଆଇ ଦ୍ୱାରା ସର୍ଭେ କରାଯିବା ଉଚିତ। ସର୍ଭେ ପରେ ହିଁ ପ୍ରକୃତ ସତ ସାମ୍ନାକୁ ଆସିବ। କହିରଖୁ ଯେ, ବର୍ତ୍ତମାନ ଏକ ସ୍ଥାନୀୟ କୋର୍ଟ ଉକ୍ତ ମସଜିଦର ମରାମତି କାର୍ଯ୍ୟ ବନ୍ଦ କରି ଦେଇଛନ୍ତି।

କୁହାଯାଉଛି ଯେ, ମାଙ୍ଗାଲୋରର ବାହୃ ଅଞ୍ଚଳ ଗୁରୁପ୍ରା ତାଲୁକାରେ ଏକ ପୁରୁଣା ମସଜିଦ ଅଛି। ଏଠାରେ ମଲାଲି ମାର୍କେଟର ମସଜିଦ ପରିସରରେ ମରାମତି କାମ ଚାଲିଥିଲା। ଏହି ସମୟରେ ମସଜିଦର ଏକ ଅଂଶ ପୂର୍ବରୁ ଭାଙ୍ଗି ଦିଆଯାଇଥିଲା। ଏହି ସମୟରେ, ଏପ୍ରିଲ୍ ୨୧ ରେ, ଯେତେବେଳେ ମସଜିଦ ତଳେ ଥିବା ଆବର୍ଜନାଗୁଡିକ ହଟାଗଲା, ସେତେବେଳେ ଏକ ଷ୍ଟ୍ରକଚର ଦୃଶ୍ୟମାନ ହୋଇଥିଲା। ଏହାପରେ ବିବାଦ ସୃଷ୍ଟି ହୋଇଥିଲା। ପରେ କୋର୍ଟ ମରାମତି କାମ ଉପରେ ରୋକ ଲଗାଇ ଦେଇଥିଲେ। ସେପଟେ ବିଶ୍ୱ ହିନ୍ଦୁ ପରିଷଦ ମସଜିଦ ତଳୁ ମିଳିଥିବା ମନ୍ଦିରର ଅଂଶ ସେମାନଙ୍କୁ ଫେରସ୍ତ କରିବାକୁ ଦାବି କରିଛି।