
ସିଡ୍ନୀ ଟେଷ୍ଟରେ ଭାରତର ବିଶାଳ ସ୍କୋର । ଚେତେଶ୍ବର ପୂଜାରା, ରିଷଭ ପନ୍ଥଙ୍କ ଶତକ ଓ ରବୀନ୍ଦ୍ର ଜାଡେଜାଙ୍କ ଦମ୍ଦାର ଅର୍ଦ୍ଧଶତକ ବଳରେ ଭାରତ 622 ରନ୍ର ବିରାଟ ସ୍କୋର ଛିଡ଼ା କରିଛି । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରି ବିନା ୱିକେଟରେ ୨୪ ରନ୍ ସଂଗ୍ରହ କରିଛି । କଙ୍ଗାରୁ ଦଳ ଏବେ ବି ଭାରତ ଠାରୁ ୫୯୮ ରନ୍ ପଛରେ ରହିଛି ।
ଏହା ପୂର୍ବରୁ ଭାରତ ଗତକାଲିର ଅସମାପ୍ତ ସ୍କୋର ୪ ୱିକେଟ୍ ହରାଇ ୩୦୩ ରନ୍ରୁ ଆଜି ଖେଳ ଆରମ୍ଭ କରିଥିଲା । ୭ ୱିକେଟରେ ୬୨୨ ରନ୍ରେ ପ୍ରଥମ ଇନିଂସ ପାଳି ଘୋଷଣା କରିଥିଲା ଭାରତ । ଚେତେଶ୍ବର ପୂଜାରା ସର୍ବାଧିକ ୧୯୩ ରନ୍ କରିଥିଲେ । ସେହିପରି ଋଷବ ପନ୍ଥ ୧୫୯ ରନ୍ କରି ନଟ୍ଆଉଟ୍ ରହିଛନ୍ତି । ରବୀନ୍ଦ୍ର ଜାଡେଜା 81ରନ୍ର ଇନିଂସ ଖେଳିଥିଲେ ।
ପ୍ରଥମ ଦିନରେ ମୟଙ୍କ ଅଗ୍ରୱାଲ ୭୭ ରନ୍ କରିଥିବାବେଳେ ହନୁମା ବିହାରୀ ୪୨ ରନ୍ କରିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଲାୟନ୍ ୪ଟି ଓ ହାଜେଲଉଡ୍ ୨ ୱିକେଟ ନେଇଥିଲେ । ୪ ମ୍ୟାଚ ଟେଷ୍ଟ ସିରିଜ୍ରେ ଭାରତ ୨-୧ରେ ଆଗୁଆ ରହିଛି । ସିଡ୍ନୀରେ ବିଜୟୀ ହେଲେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଇତିହାସ ରଚନା କରିବ ।