ରାଜନୀତିରୁ ସନ୍ୟାସ ନେବେ କଂଗ୍ରେସର ବରିଷ୍ଠ ନେତା ଏ.କେ ଆଣ୍ଟୋନି; ଏନେଇ ସୋନିଆଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏ.କେ ଆଣ୍ଟୋନି ରାଜନୀତିରୁ ସନ୍ୟାସ ନେବା ପାଇଁ ଯାଉଛନ୍ତି । ଏନେଇ ଆଣ୍ଟୋନି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିବାର କଥା ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୨ ଏପ୍ରିଲ ୨ରେ ଶେଷ ହେଉଛି । ସେ ଏହା ପୂର୍ବରୁ ପୁନର୍ବାର ନିର୍ବାଚନ ଲଢ଼ିବାକୁ ଚାହୁଁ ନାହାନ୍ତି । କେବଳ ଏତିକି ନୁହେଁ ବରଂ ସେ ଆଉ ଦିଲ୍ଲୀରେ ରହିବେ ନାହିଁ । ଖୁବଶୀଘ୍ର ସେ ଥିରୁଅନନ୍ତପୁରମକୁ ଯିବେ ବୋଲି କେରଳର ୮୧ ବର୍ଷୀୟ ରାଜ୍ୟସଭା ଏମପି ଆଣ୍ଟୋନି ସୋନିଆ ଗାନ୍ଧୀଙ୍କୁ କହିଛିନ୍ତି । ଅନ୍ୟପଟେ ଆଣ୍ଟୋନି ଦୀର୍ଘ ୫୨ ବର୍ଷ ଧରି ରାଜନୀତିରେ ସକ୍ରିୟ ଅଛନ୍ତି । ୧୯୭୦ ମସିହାରେ ପ୍ରଥମଥର ପାଇଁ ସେ କେରଳର ଜଣେ ବିଧାୟକ ହୋଇଥିଲେ । ସେ କଂଗ୍ରେସ ଯୁବ ଓ ଛାତ୍ର ସଙ୍ଗଠନର ନେତା ଥିଲେ । ସେପଟେ ଆଣ୍ଟୋନି କେରଳର ତିନିଥର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି ।

ତେବେ ଆଣ୍ଟୋନି ୩୭ ବର୍ଷ ବୟସରେ କେରଳର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ସହିତ ସେ ତିନିଥର କେନ୍ଦ୍ରମନ୍ତ୍ରୀ ହୋଇଥିବାବେଳେ ୫ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଆଣ୍ଟୋନି ୧୦ ବର୍ଷ ଧରି କଂଗ୍ରେସ ସଂସଦୀୟ କମିଟିର ସଭାପତି ଭାବେ କାର୍ଯ୍ୟ କରିଛନ୍ତି । କେବଳ ଏତିକି ନୁହେଁ ବରଂ ଏ.କେ ଆଣ୍ଟୋନିଙ୍କୁ ଆନ୍ଥୋନି ଅଫ କଂଗ୍ରେସ ମଧ୍ୟ କୁହାଯାଇଥିଲା । ସେ କେରଳ ରାଜନୀତିରେ କଂଗ୍ରେସର ପ୍ରମୁଖ ଯୋଗଦାନକାରୀ ବୋଲି ବିବେଚନା କରାଯାଏ । ସେ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ କାର୍ଯ୍ୟକାଳ ସମୟରେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଥିଲେ । ଏହା ସହ ମନମୋହନ ସିଂହଙ୍କ ସରକାରରେ ସେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ତାଙ୍କର ରାଜନୀତିରୁ ସନ୍ନ୍ୟାସ ନେବା ଖବର ବର୍ତ୍ତମାନ ସମସ୍ତଙ୍କୁ ଚକିତ କରିଦେଇଛି ।

Related Posts