ଚେନ୍ନାଇ: ତାମିଲନାଡୁରେ ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଉଥିବା ଅଭିଯୋଗ ଆଣିଛି ବିଜେପି । ଯାହାର କଡା ଜବାବ ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ।

ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ ପରେ ଗଣମାଧ୍ୟମ ପ୍ରତିନିଧଙ୍କ ସହ ଆଲୋଚନା ବେଳେ ଚିଦାମ୍ବରମ କହିଛନ୍ତି, ମୁଁ ପ୍ରଥମ ଶ୍ରେଣୀଠୁ ନେଇ କଲେଜ୍ ପର୍ଯ୍ୟନ୍ତ ଖ୍ରୀଷ୍ଟିୟାନ ଶିକ୍ଷାନୁଷ୍ଠାନରେ ପଢିଛି। କାହିଁ କେଉଁଠି ଧର୍ମାନ୍ତରୀକରଣ କରାଯାଇନାହିଁ। ଧର୍ମାନ୍ତୀକରଣ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ମିଥ୍ୟା ବୋଲି ସେ କହିଛନ୍ତି।

ନିକଟରେ ତାମିଲନାଡୁର ଏକ ଖ୍ରୀଷ୍ଟିୟାନ କଲେଜରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଉପରେ ବିଜେପି ବଳପୂର୍ବକ ଧର୍ମାନ୍ତୀକରଣ କରାଯାଉଥିବା ଅଭିଯୋଗ କରିଥିଲା। ଏହାକୁ ନେଇ ବିଜେପି ସ୍ଵର ଉତ୍ତୋଳନ କରିଥିଲା। ରାଜ୍ୟ ବିଜେପି ସଭାପତି ଅନ୍ନାମଲାଇ ଦାବି କରିଥିଲେ ଯେ, ତାମିଲନାଡୁ ରାଜ୍ୟସାରା ଧର୍ମାନ୍ତରୀକରଣ କରାଯାଉଛି। ନିକଟରେ ଏପ୍ରିଲ ମାସରେ କନ୍ୟାକୁମାରୀ ଜିଲ୍ଲାର କଣ୍ଟୁଭିଲ୍ଲାଇ ସରକାରୀ ବିଦ୍ୟାଳୟରୁ ମଧ୍ୟ ଧର୍ମାନ୍ତରୀକରଣ କରାଯାଉଥିବାର ସଦ୍ୟତମ କେସ୍ ସାମ୍ନାକୁ ଆସିଥିଲା।

ରାଜ୍ୟରେ ହଜାର ସଂଖ୍ୟକ ବିଦ୍ୟାର୍ଥୀ ଖ୍ରୀଷ୍ଟିୟାନ ସ୍କୁଲରେ ପଢୁଛନ୍ତି। ଖ୍ରୀଷ୍ଟିୟାନ କଲେଜ୍ ଏବଂ ସ୍କୁଲରୁ ଅନେକ ପିଢି ଉପକୃତ ହୋଇ ସାରିଛନ୍ତି। କେହି ହେଲେ କେବେ ବି ଧର୍ମାନ୍ତରୀକରଣ କରିବାକୁ ଚେଷ୍ଟା କରି ନାହାନ୍ତି। ଏହା ବିଜେପିର ମିଥ୍ୟା ପ୍ରଚାର। ତାମିଲନାଡୁବାସୀ ବିଜେପିର ଏହି ମିଥ୍ୟାରେ ପଡିବେ ନାହିଁ ବୋଲି ମୋର ବିଶ୍ଵାସ।