ବାତ୍ୟା ‘ମାଣ୍ଡୋସ୍’ ଭୟ: ତାମିଲନାଡୁର ଚେଙ୍ଗଲପଟ୍ଟୁ, କାଞ୍ଚିପୁରମ ଓ ଭିଲ୍ଲୁପୁରମ ଜିଲ୍ଲା ଲାଗି ରେଡ ଆଲର୍ଟ ଜାରି

ନୂଆଦିଲ୍ଲୀ : ମାଡି ଆସୁଛି ଘୂର୍ଣ୍ଣିବାତ୍ୟା ‘ମାଣ୍ଡୋସ୍’ । ଯାହା ଏବେ ତାମିଲନାଡୁର ନିକଟତର ହୋଇଛି। ଏହାକୁ ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ପକ୍ଷରୁ ସତର୍କତା ଜାରି କରାଯାଇଛି । ଏଥିରେ ତାମିଲନାଡୁର ଚେଙ୍ଗଲପଟ୍ଟୁ, କାଞ୍ଚିପୁରମ ଓ ଭିଲ୍ଲୁପୁରମ ଜିଲ୍ଲା ଲାଗି ରେଡ ଆଲର୍ଟ ଜାରି ହୋଇଛି। ଏହା ପୂର୍ବରୁ କୁଡ୍ଡାଲୋର, ମାଇଲାଦୁଥୁରାଇ, ନାଗପଟ୍ଟିନମ, ତିରୁଭରୁର, ତାଞ୍ଜାଉର ଓ ପୁଦୁକୋଟ୍ଟଇ ଆଦି ଜିଲ୍ଲାଙ୍କ ଲାଗି ଅରେଞ୍ଜ ଆଲର୍ଟ ଜାରି ହୋଇଥିଲା।

ଆଇଏମଡି ରାଜ୍ୟରେ ୯ ଓ ୧୦ ଡିସେମ୍ବର ଭିଷଣ ବର୍ଷା ଆଶଙ୍କା କରିଛନ୍ତି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘୂର୍ଣ୍ଣିଝଡ଼ରେ ପରିବର୍ତ୍ତିତ ହେବା ସହ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଦକ୍ଷିଣ-ପଶ୍ଟିମ ବଙ୍ଗୋପସାଗରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଏଣୁ ପରିସ୍ଥିତିକୁ ନଜରରେ ରଖି ତାମିଲନାଡୁ ସରକାର ଜାତୀୟ ବିପର୍ଯ୍ୟୟ ପ୍ରସମନ ବଳ (ଏନଡିଆରଏଫ) ଓ ରାଜ୍ୟ ବିପର୍ଯ୍ୟୟ ପ୍ରସମନ ବଳ( ଏସଡିଆରଏଫ)ର ୧୨ଟି ଟିମକୁ କାବେରୀ ଡେଲ୍ଟା କ୍ଷେତ୍ରରର ନାଗାପଟ୍ଟିନମ, ତାଞ୍ଜାଉର, ଚେନ୍ନାଇ ଏହାର ୩ ପଡୋସୀ ଜିଲ୍ଲା ସମେତ କୁଡ୍ଡାଲୋରରେ ଆଦି ୧୦ ଜିଲ୍ଲାରେ ମୁତୟନ କରାଯାଇଛି।

ମାଣ୍ଡୋସ ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର୍ର ପ୍ରଦେଶ ଓ ଉତ୍ତର ଶ୍ରୀଲଙ୍କାରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଥିବା ତଥା ସ୍ଥଳ ବିଶେଷରେ ଘଣ୍ଟାପ୍ରତି ୬୦ କିଲୋମିଟରକୁ ପହଞ୍ଚୁଥିବା ଆଇଏମଡି ସୂଚିତ କରିଛନ୍ତି। ତେବେ ୯ରୁ ୧୦ ଡିସେମ୍ବରରେ ବାୟୁର ବେଗ ଘଣ୍ଟାପ୍ରତି ୯୦ କିଲୋମିଟରକୁ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସେନ୍ଥମାରେକନ୍ନନ ଗଣମାଧ୍ୟମ ସହ ଆଲୋଚନାରେ ଘୂର୍ଣ୍ଣିବାତ୍ୟା ଯୋଗୁ ରାଜ୍ୟରେ ପ୍ରତିକୂଳ ପ୍ରଭାବ ପଡିବ ବୋଲି ଆଶଙ୍କା କରିଛନ୍ତି। କାରଣ ୯ ଓ ୧୦ ଡିସେମ୍ବରରେ ବର୍ଷା ସହ ପବନର ବେଗ ବଢିବ ବୋଲି ସେ କହିଛନ୍ତି।

ସେପଟେ ତାମିଲନାଡୁ ରାଜସ୍ୱ ବିଭାଗ ଉଦ୍ଧାର ସହ ରାଜ୍ୟରେ ବର୍ଷା ପରେ ପାଣି ଜମିବାର ସମସ୍ୟା ସମାଧାନ ଲାଗି ଅଣ୍ଟା ଭିଡିସାରିଲେଣି। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପମ୍ପ ଓ ଅନ୍ୟ ମେସିନର ବ୍ୟବସ୍ଥା ହୋଇ ସାରିଥିବା ବେଳେ ଏନଡିଆରଏଫ ଓ ଏସଡିଆରଏଫ ଟିମକୁ ଯେ କୌଣସି ପରିସ୍ଥିତିର ସାମ୍ନା କରିବା ଲାଗି ସବୁ ଜିଲ୍ଲାରେ ପ୍ରସ୍ତୁତ ରଖା ଯାଇଛି ।

Related Posts