ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗାଯିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଡିଜିପି ସୁନୀଲ କୁମାର ବଂଶଲ୍

ପୁରୀ : ଶ୍ରୀମନ୍ଦିରରେ ଗତକାଲି ଘଟିଥିବା ଅଭାବନୀୟ ଘଟଣା କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସେପଟେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ରୋଷଘର ଚୁଲା ଭଙ୍ଗାଯିବା ଘଟଣାରେ ତନାଘନା କରିବା ପାଇଁ ମୁଖ୍ୟୁମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଡିଜିପି ସୁନୀଲ କୁମାର ବଂଶଲ୍ ପୁରୀ ଗସ୍ତ କରିଛନ୍ତି । ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ଘଟଣା ସମ୍ପର୍କରେ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି। ୪୩ଟି ଚୁଲି ଭଙ୍ଗା ଯାଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି।

ଏହି ଘଟଣାକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି । ସିସିଟିଭି ଫୁଟେଜ ଯାଞ୍ଚରୁ ଜଣେ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ସେହି ବ୍ୟକ୍ତି ଜଣକ ଏହା କରିଛନ୍ତି ନାଁ ଆଉ କଣ କାରଣ ଅଛି ତାର ଅନୁଧ୍ୟାନ ଚାଲିଛି। ଭବିଷ୍ୟତରେ ଶ୍ରୀମନ୍ଦିରରେ ଯେଭଳି ଏହି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ଅଧିକ ଗୁରୁତ୍ଵ ଦିଆଯିବ। ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ସିସିଟିଭି କ୍ୟାମେରା ସଂସ୍ଥାପନ କରାଯିବ। ଏଥିସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ୍ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଓ ଡିଜିପି କହିଛନ୍ତି।

ଅନ୍ୟପଟେ, ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା । ଏତଲା ପରେ ପୋଲିସର ଆକ୍ସନ । ତଦନ୍ତ ପାଇଁ ୫ଜଣିଆ ଟିମ୍‌ ଗଠନ ହୋଇଛି । ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ପୁରୀ ଏସ୍‌ପି କେ. ବିଶାଲ୍‌ ସିଂହ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଶ୍ରୀମନ୍ଦିର ରୋଷ ଘର ଭିତରେ ଚୁଲି ଭଙ୍ଗା ଘଟଣାରେ ଆଇପିସିର ଦଫା ୪୨୭, ୨୯୫, ୨୯୫ (କ),ଶ୍ରୀମନ୍ଦିର ପ୍ରଶାସନର ଆଇନ୍ ୩୦(କ) ୪(ବି)ରେ ମାମଲା ରୁଜୁ ହୋଇଛି । ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ କରାଯାଇଛି। ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରାକୁ ଯାଞ୍ଚ କରାଯାଉଛି। ସବୁ ଦିଗରୁ ତଦନ୍ତ ଚାଲିଛି। ଏଭଳି ସମ୍ବେଦଶୀଳ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୋମବାର ଦିନ ଚୁଲି ଭଙ୍ଗା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ୱାରା ଥାନାରେ ଏତଲା ଦେଇଛି ।

Related Posts