ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ଚିତ୍ତାକର୍ଷକ କଡ ଲେଉଟେଉଛି । ଓଡିଶା ବିଜେପିର ସବୁ ବୀର ପୁରୁଷ ଏବେ ପଛରେ । ଆଉ ଶିଖଣ୍ଡୀ ଏବେ ସେନାପତି । ଦାମବାବୁ ବିଜେପିରେ ଯୋଗଦେବା ପରେ ଦଳର ଚେହେରା ଏମିତି କିଛି ଦେଖାଯାଉଛି । ନିଜର ସ୍ୱାର୍ଥ, ଫାଇଦା ତଥା ବ୍ୟକ୍ତିଗତ ରାଜନୈତିକ ଅଭିଳାଷ ଚରିତାର୍ଥ ପାଇଁ ନିଜର ମୂଲ୍ୟବୋଧକୁ କେମିତି ନିଲାମ କରାଯାଇପାରେ, ତାହାର ଜଳନ୍ତ୍ୱ ଉଦାହରଣ ହେଉଛନ୍ତି ଡା. ଦାମୋଦର ରାଉତ । ଗୁରବାର ବିଜେପି ଜାତୀୟ କାର୍ଯ୍ୟାଳୟରେ ବିଜେପିରେ ସେ ବିଧିବଦ୍ଧ ଭାବେ ଯୋଗଦେବା ବେଳେ ସେ ନିଜକୁ କେବଳ ଜଣେ କ୍ଷମତା ବେପାରୀ ରୂପେ ପରିଚୟ ଦେଇନାହାନ୍ତି, ବରଂ ନିଜର ଅସ୍ତିତ୍ୱକୁ ବିଜେପି ପାଖରେ ବନ୍ଧା ପକାଇଦେଲେ ବୋଲି ସାଧାରଣରେ ଅଭିହିତ ହେଉଛି । ରାଜନୀତିରେ ଦଳବଦଳ କିଛି ନୁଆ କଥା ନୁହେଁ, କିନ୍ତୁ ଦାମବାବୁଙ୍କର ବାହାସ୍ଫୋଟ ବିଜୁବାବୁଙ୍କ ବିଚାର ଓ ସ୍ୱାଭିମାନୀ ନେତାର ଦମ୍ଭୋକ୍ତି ଆଉ ବାକି ସମସ୍ତ ନେତାଙ୍କୁ ଛୋଟ ଦେଖେଇବାକୁ ଯାଇ ଯେଭଳି ଶସ୍ତା ବୟାନବାଜି କରୁଥିଲେ ତାକୁ ଯିଏ ଶୁଣିଛି ଆଉ ଦେଖିଛି ସେ ବିଜେପିରେ ମିଶିବାକୁ ନେଇ ଦାମବାବୁ ଜଣେ କୁହାଳିଆ ବେପାରୀ ଛଡା ଆଉ କିଛି କହିବ ନାହିଁ । ଦାମବାବୁଙ୍କ ମୁଣ୍ଡ ଆଉ ତୁଣ୍ଡ ଯେ ଗୋଟିଏ ଶରୀରର ନୁହଁ, ତାହା ତାଙ୍କର ବିଗତ କିଛିଦିନର କାର୍ଯ୍ୟକଳାପରୁ ସ୍ପଷ୍ଟ । ତୁଣ୍ଡରେ ବିଜେଡିରୁ ତଡା ଖାଇବା ପରେ ତୁଣ୍ଡରେ ସକାଳେ ନବୀନ ବାବୁଙ୍କୁ କୋସିବେ, ଦ୍ୱିପ୍ରହରେ ଧର୍ମେନ୍ଦ୍ର ପ୍ରଧାନ, ନରେନ୍ଦ୍ର ମୋଦିଙ୍କର ବଂଶ ଉଜାଳିବେ, ସନ୍ଧ୍ୟାରେ କଂଗ୍ରେସକୁ ଗାଳିଦେବେ । ଶେଷରେ ରାତିରେ ଘରକୁ ଫେରିବା ପରେ ମୁଣ୍ଡ ଲଗେଇବେ, କାହା ସହ ମୂଲଚାଲ କରିବେ ନା ନୂଆ ଦଳ ଗଠନ କରିବେ ନା ବିଜେପିରେ ଯୋଗ ଦେବେ । ଶେଷରେ କ୍ଷମତା ଲୋଭ ଆଗରେ ନିଜକୁ ସମର୍ପଣ କଲେ ଦାମବାବୁ । ରାଜନୀତିର ଏହି ମାଙ୍କଡ ଡିଆଁରେ ଉଭୟ ଦାମବାବୂୁ ଏବଂ ବିଜେପି ନିଜକୁ ନୀତି, ଆଦର୍ଶ ବିହୀନ ଅମେରୁଦଣ୍ଡୀ ଭାବେ ପରିଚୟ ଦେଇଦେଲେ । ଲୁଣି ପାଣିରେ ପଦ୍ମ ଫୁଟାଇବାକୁ ଅତୀତରେ ବିଜେପି ନଜରରେ ଶିଖଣ୍ଡୀ ଦାମବାବୁ ଏବେ କୁଆଡେ ସେନାପତି ସାଜିବେ ।
ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ସ୍ୱାମୀ ଛାଡି କହି ବିଜେପି ଦଳରେ ନିଆଁ ଲଗାଇଥିଲେ ଦାମ ବାବୁୂ । ଦାମବାବୁଙ୍କର ଏହି ମହିଳା ବିରୋଧୀ ବୟାନକୁ ନେଇ ରାଜ୍ୟବ୍ୟାପୀ ବିଜେପି ବେଶ୍ ତୁମ୍ଭୀତୋଫାନ କଲା । ହେଲେ ସେହି ଦାମବାବୁଙ୍କ କୋଳେଇନେବା ପାଇଁ ବିଜେପି ଏତେ ବ୍ୟଗ୍ର ହୋଇ ଉଠିଲା କାହିଁକି । ସାଧାରଣ ଲୋକେ ଏହାର ଜବାବ୍ ଚାହୁଁଥିଲା ବେଳେ ଉଭୟ ବିଜେପି ଏବଂ ଦାମବାବୁ ଦୁର୍ନୀତି ବିରୋଧି ସଂଗ୍ରାମର ବେଶ ଭଲ ସୁଆଙ୍ଗ ରଚନା କରିଛନ୍ତି । ଏପଟେ ଦାମବାବୁଙ୍କ ସ୍ୱାମୀଛାଡି ବୟାନର ପ୍ରତ୍ୟୁତ୍ତରରେ ନବୀନ ବାବୁଙ୍କୁ ଧୃତରଷ୍ଟ୍ର ଏବଂ ଦାମଙ୍କୁ ଶିଖଣ୍ଡୀ କହିବାକୁ ପଛାଇଦେଇଥିଲେ ଲେଖାଶ୍ରି । ଲେଖାଶ୍ରୀଙ୍କ ଶୀଖଣ୍ଡୀ ସମ୍ବୋଧନ ରାଜ୍ୟ ବିଜେପିର ନେତା କର୍ମୀଙ୍କୁ ବେଶ୍ ସୁହାଇଥିଲା । ପରବର୍ତ୍ତୀ ସମୟରେ ବିଭିନ୍ନ ସଭା ସମିତିରେ ଦାମବାବୁଙ୍କୁ ଟାର୍ଗେଟ କରିବାକୁ ଯାଇ ଶିଖଣ୍ଡୀ ଶବ୍ଦର ବହୁଳ ପ୍ରୟୋଗ କରିଥିଲେ । ହେଲେ କ୍ଷମତା ଲୋଭରେ ଦାମବାବୁ ସବୁ ଲଜ୍ଜା, ଅପମାନକୁ ହଜମ କରି ବିଜେପି ପାଇଁ ସେନାପତି ସାଜିବା ରାଜନୀତିରେ ତାଙ୍କ କ୍ଷମତା ନିଶାକୁ ସ୍ପଷ୍ଟ ରୂପେ ବୟାନ କରୁଛି । ଦାମବାବୁ ପାଗଳ ହୋଇଗଲେଣି ଏବଂ ତାଙ୍କୁ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରିବା ଆବଶ୍ୟକ ବୋଲି ବିଜେପ ବିଭିନ୍ନ ସମୟରେ ଦାବି କରି ଆସୁଥିଲା । ତେବେ ବର୍ତମାନ ଜଣେ ପାଗଳକୁ ପାରାଦ୍ୱୀପର ନିର୍ବାଚନୀ ମୈଦାନରେ ପାଇକପୁଅ ସଜେଇବାକୁ ବିଜେପି ଏତେ ଡହଳବିକଳ କାହିଁକି ତାହାକୁ ନେଇ ବିଜେପିର ଦଳୀୟ କର୍ମୀଙ୍କ ମନରେ ମଧ୍ୟ ଦ୍ୱନ୍ଦ ଉତ୍ପନ୍ନ ହେଲାଣି ।
ଏକଦା ଦାମବାବୁଙ୍କ କୁହାଳିଆ ତୁଣ୍ଡ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଛାଡିନଥିଲା । ପ୍ରଧାନମନ୍ତ୍ରୀ ମୋଦି ମନ୍ କି ବାତ୍ କରିବା ପୂର୍ବରୁ ନିଜ ପତ୍ନୀଙ୍କ ଅନ୍ତର ଆତ୍ମା ଶୁଣନ୍ତୁ ବୋଲି ଦାମ ତାତ୍ସଲ୍ୟ କରିଥିଲେ । ବିଜେପିର ରାଜ୍ୟ ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଛାଡିନଥିଲେ ପାରାଦ୍ୱୀପର ଏହି ଆତ୍ମଘୋଷିତ ଷଣ୍ଢା ବାପ ସହ ପାପ କରି ଧର୍ମେନ୍ଦ୍ର କ୍ଷମତା ହାତେଇଥିବା କହି ବିଜେପି ଶିବିରରେ ନିଆଁ ଲଗାଇଥିଲେ ଦାମ । ଧର୍ମେନ୍ଦ୍ର ନିଜର କେଉଁ ସ୍ୱାର୍ଥ ଚରିତାର୍ଥ ପାଇଁ ପ୍ରଧାନମନ୍ତ୍ରୀ ଏବଂ ନିଜର ବାପାଙ୍କ ପ୍ରତି ଏତେବଡ ଅପମାନ ସୂଚକ ମନ୍ତବ୍ୟ ଦେଇଥିବା ଦାମବାବୁଙ୍କୁ କୋଳେଇ ନେଲେ ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏତେଶୀଘ୍ର ବିଜେପି ଲଙ୍କାରେ ନିଆଁ ଲଗାଇଥିବା ଦାମବାବୁଙ୍କୁ ବିଜେପି କେମିତି ଫୁଲ ଚନ୍ଦନ ନେଇ ପାଛୋଟି ନେଲା ତାହାର ଉତ୍ତର କାହା ପାଖରେ ନାହିଁ । ରାଜନୀତିରେ ନେତା ଆଉ ନୀତିର କେମିତି ରଙ୍ଗ ବଦଳେ ଏହି ଦାମ ଏବଂ ଶିଖଣ୍ଡୀ ଉପଖ୍ୟାନକୁ ଭଳଭାବେ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାପଡେ ।