ଭୁବନେଶ୍ବର: କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା ଉପରୁ ଉଠିବ ପରଦା । ଆଜିଠୁ ରିମାଣ୍ଡରେ ଯିବେ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ଶର୍ମିଷ୍ଠା ରାଉତ । ତାଂକୁ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ତାଙ୍କ ମୁହଁ ରୁ ସତ ଓଗାଳିବ । କୋର୍ଟ ଶର୍ମିଷ୍ଠା ରାଉତଙ୍କ ସହ ୪ ଜଣଙ୍କୁ ରିମାଣ୍ଡ ନେବା ପାଇଁ ଅନୁମତି ଦେଇଛନ୍ତି ।
ଖବର ଅନୁଯାୟୀ, ସୋମବାର ଦିନ ଗିରଫ ପରେ ଚାନ୍ଦବାଲି ଏସ.ଡି.ଜେ.ଏମ. କୋର୍ଟରେ ଶର୍ମିଷ୍ଠା ଏବଂ ଝୁନା ଭୋଇଙ୍କୁ ହାଜର କରାଯାଇଥିଲା। ଶର୍ମିଷ୍ଠା ସହିତ ଏହି ମାମଲାରେ ଗିରଫ ହୋଇଥିବା ମୋଟ ୭ ଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେବା ଲାଗି କ୍ରାଇମ ବ୍ରାଞ୍ଚ ଆବେଦନ କରିଥିଲା। ତେବେ କେବଳ ୪ ଜଣଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏମାନେ ହେଲେ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକ। ଆଜିଠୁ ୫ ଦିନିଆ ରିମାଣ୍ଡ ଆରମ୍ଭ ହେବ। ଏହା ପରେ ଏପ୍ରିଲ ୩ ତାରିଖ ଦିନ ୩ଟା ବେଳେ ଏମାନଙ୍କୁ କୋର୍ଟରେ ହାଜର କରିବା ଲାଗି କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଗତକାଲି ବିଚାର ବିଭାଗୀୟ ହାଜତରେ ରାତି କାଟିଛନ୍ତି ଶର୍ମିଷ୍ଠା ।
ସୂଚନାଯୋଗ୍ୟ, ଭଦ୍ରକ ନଳାଙ୍ଗ ଗାଁରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । କେବଳ ଶର୍ମିଷ୍ଠା ନୁହେଁ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଉଦ୍ୟମରେ ଉଭୟଙ୍କୁ ଗିରଫ କରାଯାଇଛି ।
ଖବର ଅନୁଯାୟୀ, ମାନସ ସ୍ୱାଇଁ ହତ୍ୟା ଘଟଣାରେ ତଦନ୍ତ ଭାର ଏବେ କ୍ରାଇମ୍ବ୍ରାଞ୍ଚ ପାଖରେ । ହତ୍ୟା ମାମଲାର ଟିକିନିଖି ଯାଞ୍ଚ କରୁଛି କ୍ରାଇମ୍ବ୍ରାଞ୍ଚ । ଏହିକ୍ରମରେ ରବିବାର ଦିନ୍ କ୍ରାଇମ୍ବ୍ରାଞ୍ଚ ଏକ ଟିମ୍ ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ କେମିତି ହତ୍ୟା କରାଯାଇଥିଲା । ମୃତଦେହକୁ କିଭଳି କାର ପର୍ଯ୍ୟନ୍ତ ନେଇଥିଲେ ହତ୍ୟାକାରୀ । ଯେଉଁ ରୁମରେ ମାନସଙ୍କୁ ମାଡ ମରାଯାଇଥିଲା ଏବଂ ହତ୍ୟା କରାଯାଇଥିଲା ସେଠାରେ ଛାନଭିନ୍ କରିଛି ତଦନ୍ତକାରୀ ଟିମ୍ ।
ମାନସ ମୃତଦେହକୁ କାର୍ ପର୍ଯ୍ୟନ୍ତ କେମିତି ନେଇଥିଲେ ଶର୍ମିଷ୍ଠା ଏବଂ କୋ । ସେଠାରୁ କେଉଁ ରାସ୍ତା ଦେଇ ରଣପୁର ଜଙ୍ଗଲ ନେଇଥିଲେ ଏବଂ ପୋତିଥିଲେ ତାର ମଧ୍ୟ ଥ୍ରିଡି ଫୋରେନସିକ୍ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ । ତେବେ ଏହି ଯାଞ୍ଚ ସମୟରେ କ୍ରାଇମ୍ବ୍ରାଞ୍ଚ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଅନୁମାନ କରାଯାଉଛି । ଏହାପରେ ତୁରନ୍ତ ପଦକ୍ଷେପ ନେଇ କ୍ରାଇମ୍ବ୍ରାଞ୍ଚ ଉକ୍ତ ଦୟାଲ ଆଶ୍ରମକୁ ସିଲ୍ କରିଥିଲା ।