ରାଜ୍ୟରେ ମହିଳାଙ୍କ ସୁରକ୍ଷିତ ପ୍ରସଙ୍ଗକୁ ନେଇ ଆସିଲା ଭୟଂକର ତଥ୍ୟ: ଗତ ୪ବର୍ଷ ମଧ୍ୟରେ ୧୧୭୬୩ଜଣ ମହିଳା ହୋଇଛନ୍ତି ବଳାତ୍କାରର ଶିକାର

ଭୁବନେଶ୍ୱର: ରାଜ୍ୟରେ ମହିଳା ଙ୍କ ସୁରକ୍ଷା ଓ ସୁରକ୍ଷିତ ପ୍ରସଙ୍ଗକୁ ନେଇ ଆସିଚି ଏକ ଭୟଂକର ତଥ୍ଯ । ଓଡ଼ିଶାରେ ମହିଳାଙ୍କୁ ହତ୍ୟା, ବଳାତ୍କାର, ଯୌତୁକଜନିତ ନିର୍ଯାତନା ଆଦି ମାମଲା ବେଶ୍ ଲଗାତାର ଭାବେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ଅପରାଧ ବୃଦ୍ଧି ପାଇଛି । ଗତ ୪ବର୍ଷ ମଧ୍ୟରେ ମୋଟ ୧୧୭୬୩ଜଣ ମହିଳାଙ୍କୁ ବଳାତ୍କାରର ଶିକାର ହେବାକୁ ପଡ଼ିଥିବାବେଳେ ରାଜ୍ୟରେ ମହିଳା ବିରୋଧୀ ହିଂସା ମାମଲାରେ ଦଣ୍ଡବିଧାନ ହାର ମାତ୍ର ୯.୨% ରହିଛି।

ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସନ୍ତୋଷ ସିଂ ସାଲୁଜାଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ ରାଜ୍ୟରେ ୨୦୨୧ ମସିହାରେ ମହିଳା ବିରୋଧୀ ହିଂସା ମାମଲାରେ ମୋଟ ୩୩୨୭ଟି ବଳାତ୍କାର, ୯୩ଟି ମହିଳା ଚାଲାଣ ମାମଲା, ୫୦୪୮ଟି ଅପହରଣ ସମେତ ମୋଟ ୩୫,୩୨୬ଟି ମହିଳା ବିରୋଧୀ ହିଂସା ମାମଲା ରୁଜୁ ହୋଇଛି । ୨୦୨୧ ମସିହା ତୁଳନାରେ ରାଜ୍ୟରେ ଅପରାଧ ମାମଲା ସାମାନ୍ୟ ବୃଦ୍ଧି ପାଇଛି ।

ରାଜ୍ୟରେ ୨୦୧୮ରୁ ୨୦୨୧ ମସିହା ମଧ୍ୟରେ ମୋଟ ୧୧୭୬୩ଜଣ ମହିଳାଙ୍କୁ ବଳାତ୍କାରର ଶିକାର ହେବାକୁ ପଡ଼ିଛି । ୨୦୧୮ ମସିହାରେ ୨୫୦୨ଜଣ ମହିଳା ବଳାତ୍କାରର ଶିକାର ହୋଇଥିବାବେଳେ ୨୦୧୯ ମସିହାରେ ୨୯୫୦ଜଣ, ୨୦୨୦ ମସିହାରେ ୨୯୮୪ଜଣ ଓ ୨୦୨୧ ମସିହାରେ ୩୩୨୭ଜଣ ମହିଳାଙ୍କୁ ବଳାତ୍କାରର ଶିକାର ହୋଇଛନ୍ତି ।

ସେହିପରି ଯୌତୁକ ହିଂସାର ଶିକାର ହୋଇଥିବା ମହିଳାଙ୍କ ସଂଖ୍ୟା ଗତ ୪ବର୍ଷରେ ମୋଟ ୧୦୧୯୦ରେ ପହଂଚିଛି । ୨୦୧୮ରୁ କ୍ରମାଗତ ଭାବେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୧୮ ମସିହାରେ ମୋଟ ୧୬୧୬ଜଣ ଯୌତୁକ ହିଂସାର ଶିକାର ହୋଇଥିବାବେଳେ ୨୦୧୯ ମସିହାରେ ୨୫୩୨ଜଣ, ୨୦୨୦ ମସିହାରେ ୩୧୫୩ଜଣ ଓ ୨୦୨୧ ମସିହାରେ ୪୮୮୯ଜଣ ମହିଳା ବିବାହ ପରେ ଯୌତୁକଜନିତ ହିଂସାର ଶିକାର ହୋଇଛନ୍ତି । ସେହିପରି ୨୦୧୮ରୁ ୨୦୨୧ ମସିହା ମଧ୍ୟରେ ମୋଟ ୨୫୪୩ଜଣ ମହିଳାଙ୍କୁ ହତ୍ୟାର ଶିକାର ହେବାକୁ ପଡ଼ିଛି ।

Related Posts