
ଚେନ୍ନାଇ : ବରିଷ୍ଠ ନେତା ଶଶୀ ଥରୁରଙ୍କୁ ଲାଗିଛି ବଡ଼ ଝଟକା । ତାମିଲନାଡୁରେ ଦଳୀୟ ବୈଠକରେ ତାଙ୍କୁ ନୈରାଶ୍ୟଜନକ ହେବାକୁ ପଡ଼ିଛି ।
କଂଗ୍ରେସର ବରିଷ୍ଠ ନେତା ୬୬ବର୍ଷୀୟ ଶଶୀ ଥରୁର ଗୁରୁବାର ଚେନ୍ନାଇ ଗସ୍ତରେ ଯାଇଥିଲେ। କଂଗ୍ରେସ ପ୍ରତିନିଧିଙ୍କ ସମର୍ଥନ ପାଇବା ପାଇଁ ସେ ଏକ ବୈଠକର ଆୟୋଜନ କରିଥିଲେ । ୭୦୦ ଜଣଙ୍କ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରିଥିବାବେଳେ ଉପସ୍ଥିତ ଥିଲେ ମାତ୍ର ୧୨ ଜଣ ପ୍ରତିନିଧି।
ସୂଚନା ଅନୁଯାୟୀ, ଥରୁରଙ୍କ ବୈଠକରେ ଯୋଗ ଦେବାର ଅର୍ଥ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଯିବା। ଏଠାରେ ଦଳୀୟ ପ୍ରାର୍ଥୀ ହେଉଛନ୍ତି ମଲ୍ଲିକାର୍ଜ୍ଜୁନ ଖଡଗେ। କାରଣ ଖଡ୍ଗେଙ୍କ ପଛରେ ରହିଛି ଗାନ୍ଧୀ ପରିବାରର ସ୍ୱୀକୃତି ଓ ସମର୍ଥନ । ଅଧ୍ୟକ୍ଷ ତାଲିକାରୁ ଗେହଲଟ ବାହାରିବା ପରେ ଖଡ୍ଗେଙ୍କୁ ଏଣ୍ଟ୍ରି କରାଯାଇଥିଲା।
ଏହି ଘଟଣାକୁ ନେଇ ଥରୁର କହିଛନ୍ତି, ଯଦି ମୋ ବୈଠକରେ ସାମିଲ ହେବାକୁ ପ୍ରତିନିଧିମାନେ ଡରୁଛନ୍ତି ତେବେ ତାହା ସେମାନଙ୍କର ସମସ୍ୟା। ଏହା ସେମାନଙ୍କର କ୍ଷତି । ଏଠାରେ ଆମେ ଏକ ସକାରାତ୍ମକ ଆଲୋଚନା କରିପାରିଥାନ୍ତେ। ଗାନ୍ଧୀ ପରିବାରର ପ୍ରାର୍ଥୀଙ୍କ ବିଷୟରେ ମତ ରଖି ଥରୁର କହିଥିଲେ, ଗାନ୍ଧୀ ପରିବାର ସ୍ପଷ୍ଟ କରି ଦେଇଛନ୍ତି ଯେ, ତାଙ୍କର ଉତ୍ତରାଧିକାରୀ ପ୍ରାର୍ଥୀ କେହି ନାହାନ୍ତି। ତେଣୁ ଖଡ୍ଗେ ଯେ ଗାନ୍ଧୀ ପରିବାରର ପ୍ରାର୍ଥୀ ଏ ଧାରଣା ଆମେ ରଖିବା ଉଚିତ ନୁହେଁ।
ଥରୁର ପ୍ରଥମ ନେତା ଥିଲେ ଯିଏ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବା ଲାଗି ଘୋଷଣା କରିଥିଲେ। ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଥିଲେ। ଏହାସହ ନିର୍ବାଚନ ଲଢିବା ପାଇଁ ସୋନିଆ ଗାନ୍ଧୀ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ନିର୍ବାଚନରେ ଦଳ ସମଥିତ କେହି ପ୍ରାର୍ଥୀ ରହିବେ ନାହିଁ ବୋଲି ଦେଇଥିଲେ ପ୍ରତିଶ୍ରୁତି ।