ଗ୍ରୀସ୍‌ରେ ନୌକା ଦୁର୍ଘଟଣା: ୧୭ ମୃତ, ୩୦ ନିଖୋଜ

ଗ୍ରୀସ୍ : ଗ୍ରୀସ୍‌ରେ ଏକ ବଡ଼ ଧରଣର ନୌକା ଦୁର୍ଘଟଣା ଘଟିଛି । ଶରଣାର୍ଥୀ ଓ ପ୍ରବାସୀଙ୍କୁ ନେଇ ଯାଉଥିବା ଦୁଇଟି ନୌକା ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି । ଫଳରେ ଏଥିରେ ଯାତ୍ରା କରୁଥିବା ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ନିଖୋଜ ଅଛନ୍ତି। ଏହି ଦୁର୍ଘଟଣା ଦକ୍ଷିଣ ଗ୍ରୀସ୍‌ର କଇଥିରା ଦ୍ୱୀପରେ ହୋଇଛି। ପାହାଡରେ ବାଡେଇ ହୋଇ ନୌକା ଦୁଇଟି ବୁଡି ଯାଇଛନ୍ତି।

ଦୁର୍ଘଟଣା କାଳରେ ଉଭୟ ନୌକାରେ ୧୩୦ରୁ ଊର୍ଦ୍ଧ୍ୱ ଲୋକଥିଲେ। ୮୦ ଜଣ ଉଦ୍ଧାର ହୋଇଥିବା ବେଳେ ୩୦ ଜଣ ଏବେବି ନିଖୋଜ ଅଛନ୍ତି। ନୌକା ପଥରରେ ବାଡେଇ ହେବା ଯୋଗୁ ଲୋକେ ଚିତ୍କାର କରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏଥିରେ ନୌକାରୁ ଛିଟକି ପଡିଥିବା ଲୋକେ ନିଜକୁ ବଞ୍ଚାଇବାକୁ ବେଶ୍ ଚେଷ୍ଟା କରୁଥିବା ଦେଖାଯାଇଥିଲା। ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ଯେଉଁ ଲୋକେ ପଥର ଚଟାଣରେ ଲାଗିଥିଲେ ସେମାନଙ୍କୁ ଦଉଡି ପକାଇ ଉପରକୁ ଉଠାଇଥିଲେ। ଉଦ୍ଧାର ହୋଇଥିବା ଲୋକଙ୍କୁ ନିକଟରେ ଥିବା ଏକ ବନ୍ଦ ସ୍କୁଲରେ ରଖା ଯାଇଛି। ନିଖୋଜ ଲୋକଙ୍କ ସନ୍ଧାନ ଲାଗି ଉଦ୍ୟମ ଜାରି ରହିଛି।

ଉଲ୍ଲେଖଯୋଗ୍ୟ ଯେ କଇଥିରା ତୁର୍କିରୁ ପଶ୍ଚିମଦିଗରେ ପ୍ରାୟ ୪୫୦ କିଲୋମିଟର ଗଲେ ଜଳ ମାର୍ଗରେ ପଡେ। ଏହା ଏକ ଜଳ ମାର୍ଗ ଯାହାକୁ ପ୍ରାୟତଃ ତସ୍କରମାନେ ଗ୍ରୀସକୁ ବାଇପାସ କରି ଇଟାଲୀ ଯିବା ଲାଗି ବ୍ୟବହାର କରନ୍ତି। ନୌକା ଦୁଇଟି ସେହି ମାର୍ଗରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି

Related Posts