ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ୧୦ ଘଣ୍ଟା ଜେରା କଲା ପ୍ରବର୍ତ୍ତନ ନିର୍ଦେଶାଳୟ । ତେବେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧.୩୦ରେ ସଞ୍ଜୟ ରାଉତ ଦକ୍ଷିଣ ମୁମ୍ବାଇସ୍ଥିତ ବାଲାର୍ଡ ଇଷ୍ଟେଟ୍ରେ ଥିବା ପ୍ରବର୍ତ୍ତନ ନିର୍ଦେଶାଳୟର କାର୍ଯ୍ୟାଳୟରେ ହାଜର ହୋଇଥିଲେ। ରାତି ପ୍ରାୟ ୯.୩୦ରେ ସେଠାରୁ ବାହାରକୁ ଆସିଥିଲେ। ସେପଟେ ବାହାରକୁ ଆସିବା ପରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ଏଜେନ୍ସିର କାମ ହେଲା ତଦନ୍ତ କରିବା। ଆମର କାମ ହେଲା ସେମାନଙ୍କ ତଦନ୍ତରେ ସହଯୋଗ କରିବା। ସେମାନେ ଆଜି ଡାକିଥିବାରୁ ମୁଁ ଆସିଲି। ଏମିତି ମୁଁ ପ୍ରବର୍ତ୍ତନ ନିର୍ଦେଶାଳୟକୁ ସହଯୋଗ କରୁଥିବି।
ପତ୍ରା ଚୱଲ୍ରେ ପୁନଃ ବିକାଶ କରାଯାଇଥିବା ହାଉସିଙ୍ଗ୍ କଂପ୍ଲେକ୍ସ୍ ଦୁର୍ନୀତି ହୋଇଛି ବୋଲି କୁହାଯାଉଥିବା ଘଟଣାର ତଦନ୍ତ ଚାଲିଛି। ଏହି ମାମଲାରେ ଗତ ଏପ୍ରିଲ୍ ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କ ପରିବାରର ସମ୍ପତ୍ତିକୁ ଆଟାଚ୍ କରିଥିଲା। ବିପୁଳ ସଂଖ୍ୟକ ଶିବସେନା କର୍ମୀ ଘଟଣାସ୍ଥଳରେ ସମବେତ ହୋଇଥିବାରୁ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। କାର୍ଯ୍ୟାଳୟକୁ ପଡ଼ିଥିବା ରାସ୍ତାରେ ମଧ୍ୟ ବାରିକେଡ୍ ଲଗାଯାଇଥିଲା। ଅନ୍ୟପଟେ ଜେରା ନିମନ୍ତେ ରାଉତ ଜୁନ୍ ୨୮ରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବାର ଥିଲା। କିନ୍ତୁ, ସବୁ ଦଲିତ ପତ୍ର ଯୋଗାଡ଼ କରିବା ନିମନ୍ତେ ପ୍ରାୟ ୨ ସପ୍ତାହ ବିଳମ୍ବ କରିବା ପାଇଁ ତାଙ୍କ ଓକିଲ ଅନୁରୋଧ କରିଥିଲେ। ଏହାପରେ ପ୍ରବର୍ତ୍ତନ ନିର୍ଦେଶାଳୟ ସାନି ସମନ୍ ଜାରି କରି ଜୁଲାଇ ୧ ତାରିଖରେ ହାଜର ହେବା ପାଇଁ ସଞ୍ଜୟ ରାଉତଙ୍କୁ ନିର୍ଦେଶ ଦେଇଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।
